ଶୀତ ପାଇଁ ଗୀତ ଟିଏ
ଶୀତ ପାଇଁ ଗୀତ ଟିଏ
ଶୀତ ଆସେ କାକର ପଖଳା
ଶୁଭ୍ର ପୋଷାକରେ
ଦୂର ବନଭୂମି ସଜ ହୁଏ
ମୁକ୍ତା ସମ କାକର ବିନ୍ଦୁରେ ।
ଝଟକି ଉଠେ ଆନନ କାନନ
ଆକାଶର ଧୁମିଳ ବକ୍ଷ
ସତେକି ଶୀତ ପକ୍ଷୀ
ଉଡ଼ି ଆସେ ଦୂର ରାଇଜରୁ
ବିସ୍ତାରିତ କରି ପକ୍ଷ ।
ମଧୁମତୀ ଫୁଲ ସବୁ
ନୀରବରେ ସ୍ୱାଗତ କରନ୍ତି
ଶୀତର ସେ ଶୀତଳ ସ୍ପର୍ଶରେ
କିଛି କ୍ଷଣ ନିଜକୁ ହଜାନ୍ତି ।
କଅଁଳ ଦୁର୍ବାର ତନୁ
ଲାଗେ ନରମ କୋମଳ
ଶୀତ ପାଇଁ ଗୀତ ଗାଏ
ଓଠ ତାର ସିକ୍ତ ସଜଳ ।
ପକ୍ଷୀ ଛାଟେ ଡେଣା ତାର
ଉଡିଯିବ ଖାଦ୍ୟ ଅନ୍ୱେଷନେ
ପାରେ ନାହିଁ ରୋକି ଶୀତ
ରହି ଜା ଆଉ କ୍ଷଣେ ।
ପାହାନ୍ତି ପ୍ରହର ଉଷୁମ ଶେଯରେ
ମିଠା ମିଠା ସ୍ବପ୍ନଭରା ଆଖି
ଗହନ ନିଦର ଗହମ କିଆରୀ
କିଛି କିଛି ରହିଯାଏ ବାକି ।
ଆନମନା ନବ ବଧୁ
ଅଳସେଇ ଶୋଇ ରହେ
ଆଉ କିଛି କ୍ଷଣ ଘୁମେଇ ଯିବାକୁ
ଏଇ ବେଳେ ମନ ଚାହେଁ ।
କାକର ସ୍ନାତ ବୃକ୍ଷରାଜି
ସତେକି ଛନ୍ତି ପ୍ରତୀକ୍ଷା ରେ
ବାଳାରୁଣ ବନ୍ଦାପନା ପାଇଁ
ସାଜିଛନ୍ତି ପତ୍ର ପୁଷ୍ପ ଭାରେ ।
ପୂଜା ଘରୁ ଧୂପ ଧୂଆଁ
ଘଣ୍ଟି ସ୍ଵନ ଆଳତି ମହକ
ପ୍ରତ୍ୟୁଷ ର ଅଙ୍ଗନରେ
ଭରିଦିଏ ଅପୂର୍ବ ପୁଲକ ।
ଅନାବନା କଥା ଛାଡି
ଉଠିଆସ କରେ ଆମନ୍ତ୍ରଣ
ସକାଳ କୁ କରେ ତାଜା
ଶୀତ ଦିଏ ପ୍ରୀତି ନିମନ୍ତ୍ରଣ ।
