ଶୀତ ଲୁଚେ କେଉଁ କମ୍ବଳ ତଳେ
ଶୀତ ଲୁଚେ କେଉଁ କମ୍ବଳ ତଳେ
1 min
126
ଅଳସୀ ମଉନି ନିରିମାଖି ରମା
ଫୁଲେଇ ସେ ଅଲିଅଳି
ଅଣ୍ଟାକୁ ହଲେଇ କେଶ ଛାଡି ଦେଇ
ବାହାରିଛି ଗାଁ ବୁଲି।
ଫେରିଯାଅ ଗୋରି ଗାଁ ମୁଁ କହୁଛି
ସହରକୁ ଯାଆ ଚାଲି
ଗାଁ ରଙ୍ଗଢଙ୍ଗ ବଦଳି ଯାଇଛି
ପୁରୁଣା ଚଳଣି ଭୁଲି।
ବଦଳି ଯାଇଛି ଗାଁ ରାସ୍ତାଘାଟ
ନାହିଁ ଆଉ ଗାଁ ତୁଠ
ଫୁଟୁନାହିଁ ଆଉ ପଦୁଅଁ କି କଇଁ
କୋଇଲି ଗାଉନି ଗୀତ ।
ଗାଁ ଆମ୍ବତୋଟା ପାହାଡ ମଝିରେ
ବହୁନି ଝରଣା ଝର
ଶୁଭୁନି ଗଧିଆ ହେଟାଙ୍କ ଶବଦ
ନାନା ଚଢେଇର ସ୍ବର।
ବରଷା ଡରୁଛି ଆସିବାକୁ ଏଠି
ବୈଶାଖ ଯେ ଭୟାଭୟ
ଶୀତ ଲୁଚେ କେଉଁ କମ୍ବଳ ତଳେ
ଜୀବନ ହୁଏ ଅଥୟ ।
ତୁମ ମଖମଲି ଚେହେରାରେ ପରା
ବାଜିବନି ଗାଁ ହାଓ୍ବା
ଫେରିଯାଅ ଗୋରି ତୁମ ସହରକୁ
ବଦଳି ଗଲାଣି ଗାଁ।
