ଶୀତ ଅଧ୍ଯାୟ
ଶୀତ ଅଧ୍ଯାୟ
ଜୀଇବା ଜୀବନ ନୁହେଁ ସୁନ୍ଦର ଏତେ ସହଜ
ଖେଳୁଥାଏ ଲୁଚକାଳି ସୁଖ ଅବା ଦୁଃଖ
ଲେଉଟାଇ ଗୋଟି ଗୋଟି ପଢିବାକୁ ହୁଏ ପୃଷ୍ଠା
ପ୍ରତିଟି ପାଠ ଅଧ୍ଯାୟ ଜୀବନ ପୁସ୍ତକ ।
ଭାସି ଉଠେ ଆଖି ଆଗେ ନୂଆ ଓ ପୁରୁଣା ମୁହଁ
ତେଲଲୁଣ ସଂସାରରେ ବ୍ଯସ୍ତ ଅହରହ
ତର ବା ମିଳୁଛି କାହିଁ ପଢିବାକୁ ମନକଥା
ଲୁଣି ମାରି ଶୁଖିଯାଏ ଆଖି ଧାର ଲୁହ ।
ଖୋଲିଦେଲେ ବାତାୟନ ପ୍ରତ୍ୟୁଷରେ ଘାସପତ୍ରେ
ଝଲସଇ ମୁକ୍ତା ପରି ଶିଶିରର ଟୋପା
କୋମଳ ପାଖୁଡା ଖୋଲି ଉଠଇ ଗୋଲାପ ଖେଳି
ରଙ୍ଗ ରଙ୍ଗ ଫୁଲେ ଶୋଭା ଦିଶଇ ବଗିଚା ।
ଥାଉ ଯେତେ କାମ ପଛେ ଶୀତରାଣୀ ଆସ ଯେବେ
ଚାହା ଅବା କଫି କପେ ମିଳିଲେ ଗରମ
ଭଲଲାଗେ ଦଣ୍ଡେ ବସି ଭାବିବାକୁ ପାଠ୍ଯକ୍ରମ
ପ୍ରସ୍ତୁତିର ପର୍ବ ପରେ କର୍ମ ଅୟରାମ୍ଭ ।
-----