ଶିବ ମହିମା
ଶିବ ମହିମା
ହେ ଶିବ ଶଙ୍କର ଭୋଳା ମହେଶ୍ୱର
ସତ୍ୟ ଶିବ ଓ ସୁନ୍ଦର,
ମୁହିଁ ଦୁର୍ଯ୍ଯୋଧନ ମୂର୍ଖ ଅକିଞ୍ଚନ
କି ଗୁଣ ଗାଇବି ତୋର ।
ତପେ ବର ଦେଉ ଅବା କୋପେ ଦେଉ
ମହିମା ତୋର ଅପାର,
ଆଜି ଫାଲ୍ଗୁନର କୃଷ୍ଣ ଚତୁର୍ଦ୍ଦଶୀ
ଧରା ପୃଷ୍ଠେ ଅବତର ।
ଆହେ ଆଶୁତୋଷ ପିଇଥିଲୁ ବିଷ
ସମୁଦ୍ର ମନ୍ଥନ ବେଳେ ,
ରକ୍ଷା କରିବାକୁ ତିନୋଟି ଭୁବନ
ସୃଷ୍ଟି ନାଶ ହେବ କାଳେ ।
ଗର୍ଭବତୀ ମୃଗୀ ସଙ୍ଗେ ଦୁଇ ଛୁଆ
ଚରଇ ସୁବାହୁ ବନେ,
ଦେଖି ଏକ ବ୍ଯାଧ ମୃଗୀ ଧରିବାକୁ
ଚିନ୍ତା କଲା ମନେ ମନେ ।
ଘେରିଲା ଶବର ମୃଗୀ ଚାରି ପାଶ
ବିପଦ ଦେଖି ହରିଣୀ
କାତରେ ଡାକିଲା ମୃଗୁଣୀ ପ୍ରଭୁ ହେ
ରକ୍ଷା କଲୁ ହଳ ପାଣି ।
କୋଟି ତେଜ ତୋର ଜ୍ୟୋତିର୍ଲିଙ୍ଗେ ଉଭା
ଜଗତେ ହେଉ ପ୍ରକଟ,
ଦୁନିଆରେ ଯେତେ ପାପ ଦ୍ଵେଷ ହିଂଶା
ଜଳି ପୋଡି ହେଉ ନଷ୍ଟ ।
ଶିବ ସଦାଶିବ ନୀଳକଣ୍ଠ ଭବ
କାତରେ କରେ ଗୁହାରି,
ଏ ଦୁଃଖୀ ପରାଣ ଅକଥ କଷଣ
କୃପା କରି ନେଏ ହରି ।
