STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ଶହୀଦ

ଶହୀଦ

1 min
814



ମାଟିରୁ ମୁଠାଏ ମମତା

ସାଉଁଟିବାର ବଜ୍ର ଶପଥ

ଏକ ଅଝଟିଆ ପଣ

ମାଟିକୁ ଅକ୍ଷତ ରଖିବାର

ବାଶ୍ , ଏତିକି

ଆଉକିଛି ନୁହେଁ

ସବୁ ସ୍ବପ୍ନକୁ ପାଦରେ ଦଳିମକଚି

କଅଁଳ ଶିଶୁର ଦରୋଟି ହସକୁ

ପ୍ରିୟତମାର ପ୍ରୀତି ପୁଲକକୁ

ମା' ର ସିକ୍ତ ପଣତ କୁ

ଭୁଲିବାର ଯେଉଁ ତିକ୍ତ ଅନୁଭୂତି

ସବୁ ଯେମିତି ପୂର୍ବ ସମର୍ପିତ

ଓ ପୂର୍ବ ନିର୍ଦ୍ଧାରିତ ମାଟି ମା' ପାଇଁ ।


ବରଫର ଶୀତଳ କାନ୍ଥରେ

ପାହାଡର ଫୁଙ୍ଗୁଳା ମଥାରେ

ଜଙ୍ଗଲର ସର୍ପିଳ ଛାତିରେ

ଅବା ସୀମାହୀନ ସମୁଦ୍ରର

ଫେନିଳ ବକ୍ଷରେ

କେତେବେଳେ ନିଆଁରେ ତ

ପୁଣି କେତେବେଳେ କଣ୍ଟାରେ

ବାଟ ଚାଲୁ ଚାଲୁ

ଦିନ ସରି ଯାଏ

ସ୍ବପ୍ନ ବି ସରି ଯାଏ

ମାଟି ମା'ର ସିକ୍ତ ପଣତରେ

ବାନ୍ଧି ହୋଇଯାଏ

ଅତୀତ,ବର୍ତ୍ତମାନ ଓ ଭବିଷ୍ୟ ।


ଆତତାୟୀ ର ଅତର୍କିତ ଆକ୍ରମଣ

ନିମିଷକେ ମଧ୍ୟେ ସବୁ ଓଲଟ ପାଲଟ

ଯେତେ ଗାଣିତିକ ସୂତ୍ର

ମୃତ୍ୟୁ ର ମଧୁର ସ୍ପର୍ଶରେ ,

ଭିଜିଯାଏ ମାଟି,ପାଣି ଓ ପବନ

ବିବର୍ଣ୍ଣା ହୁଏ ଧରିତ୍ରୀ

ପୋଷ ପୋଷ ତତଲା ରକ୍ତର ଛିଟାରେ ,

ନେସି ହୋଇଯାଏ ହାତ ପାପୁଲିରେ

ବାରୁଦ ର ଗନ୍ଧ

କେତୋଟି କରୁଣ ଚିତ୍କାର

ହା ହା କାର ଆର୍ତ୍ତନାଦ

ମାଟିରୁ ଆକାଶ

ରହିଯାଏ ସବୁକିଛି ପର୍ଦ୍ଦାର ପଛରେ -

ରାତି,ସ୍ବପ୍ନ ,ଜହ୍ନ, ତାରା ଆଉ ପ୍ରିୟ ପରିଜନ ।


ଏ ମୃତ୍ୟୁ ଏକ ନିଆରା ଅନୁଭବ

ସତ୍ୟ ର ପୁଣି ଅମରତ୍ବର

ବୀରତ୍ବର, ବଳିଦାନର ଓ ସ୍ବାଭିମାନର

ଦେଶ ମାତୃକାର ବୁନ୍ଦା ବୁନ୍ଦା ଲୁହକୁ

ନିଜର କରିବାର ଆକୁଳ ଆବେଗ

ନିଜ ରକ୍ତ ମାଂସ ହାଡ ବିନିମୟରେ

ସୁରକ୍ଷା ର ପାଚେରୀକୁ

ଶକ୍ତକରିବାର ଅଦମ୍ୟ ଧୈର୍ଯ୍ଯର ଘେରରେ

କାଳ ରାତି ଧସେଇ ପଶେ

ଶହୀଦ ହୋଇଯାଏ ସେ

ଆଂଜୁଳା ଆଂଜୁଳା ଶ୍ରଦ୍ଧାଞ୍ଜଳି

ଅଜାଡି ପଡେ,ଥରିଯାଏ ଛାତି

ଫାଟିପଡେ ଚୌହଦୀ ପବିତ୍ର ଧ୍ବନିରେ

"ବୀର ଶହୀଦ ,ଅମର ରହେ ।"

"ବୀର ଶହୀଦ ,ଅମର ରହେ ।।"


ଶରତ କୁମାର ଦାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍