ଶେଷ ସମୟର ଖେଳ
ଶେଷ ସମୟର ଖେଳ
ସତ ସମୁଦ୍ରର ମିଛ ଲହଡ଼ିରେ ମନରେ ମନର ଭାଙ୍ଗ,
ଆଶା ସପନରେ ମରୁବାଲି ପିଟେ ଅଦିନେ ଅଦିନ ରାଗ।
ମଶାଣି ଫୁଲର ବାସର ଶେଯରେ ଲେଖି ବି ଅଲେଖା ଚିଠି,
ସୁଖ ପାରିଜାତ ଦୁଃଖରେ ଜର୍ଜିତ କଣ୍ଟାରେ ଆଘାତ ପିଠି ।
ଦୂର ସମୟର ଦୂରୀଭୂତ ମନ ଭୟର କମ୍ପନେ ଫେରେ,
ଚିନ୍ତିତ ବଳୟ ବଇରାଗ ପ୍ରେମେ ଜନ୍ତ୍ରଣା ଜୁଇରେ ମରେ।
ଚନ୍ଦନ ଚଇତି ରକତ ରଜୁର ଅଫେରା ବାଟର ସ୍ଵର,
ମଲ୍ଲୀ,ଜୁଇ,ଜାଇ ,ମାଳତୀ,ମନ୍ଦାର ଏବେ ବି ମଉଳା ହାର।
ପଲକେ ପଲକ ଭାବନା ପଲଙ୍କ ମିଳନେ ନ ଥିବା ନଈ,
ଚାତକ ଚାହାଣୀ ସୁଖା ଯୌବନର ଫୁଟି ବି ଅଫୁଟା କଇଁ।
ଚିହ୍ନା ସଙ୍ଗୀତର ବେହାଲ ଅତୀତ ଝୁଣ୍ଟିପଡେ ଯାଉଯାଉ,
ତାଳରେ ବେତାଳ ସାଥି ଟଳମଳ ରାତି ଵି ପାହୁନି ଆଉ ।
ଘାଇଲା ଆଖିରେ ଅମାନିଆ ଭାବ ଲୁହରେ ଲହୁର ବେଳ,
ଜୀବନ ଦ୍ଵୀପରେ ଅନ୍ଧାର ଲେଖୁଛି ଶେଷ ସମୟର ଖେଳ।
