ଶେଷ ଇଚ୍ଛା
ଶେଷ ଇଚ୍ଛା
ତୁମେ ମୋତେ ଯେବେ ସମୟ ମାଗିଲ ,
ମୋ ଆୟୁଷକୁ ଭାଗଭାଗ କରି -
କିଛି ଦେଇଦେଲି ତୁମ ହାତେ ,
ବାକି କିଛି ଫିଙ୍ଗିଦେଲି ଆଗାମୀ କାଲିକୁ ,
ବଞ୍ଚିବାକୁ କେତେକାଳ ଅବା
ନେଇ କିଛି ଦୁର୍ବାର ଇଚ୍ଛା !
ଯାହା କେହି କେବେ ପାଇନି ତୁମଠୁ ,
ମୁଁ ତାହା ତୁମକୁ ମାଗିଲି ,
ମୋ ଇଚ୍ଛା ସବୁ ମନମଧ୍ୟେ ବାଷ୍ପୀଭୂତ ହେଇଗଲା ,
ନିଜେ ବି ନିଜକୁ ଚିହ୍ନି ନ ପାରିଲି !
ମୁଁ ନିଜକୁ ନିଜେ ଅବାନ୍ତରେ ପଚାରିଲି -
"ମୁଁ କ'ଣ ସେଇ ଥିଲି ?"
ସେ ପ୍ରଶ୍ନ ସବୁ ମନ ମଧ୍ୟେ ମିଳାଇଗଲା ,
କେମିତି କେଜାଣି ଅଲଗା ଲାଗିଲା ,
କିମ୍ଭୁତାକିମାକାର ଏକ ଅଦମ୍ୟ ଶୋଷ ପରି !
କିମ୍ବା ମୋର ଇଚ୍ଛା ସବୁ ସେତେବେଳେ ମନେ ନପଡିଲା !
ଏବେ ଏବେ ଖୁବ୍ ଶୋଷ ,
ଛାତି , ଓଠ , ପାଟି ଶୁଖିଯିବା ପରି !
ଯେମିତି ପରକ୍ଷଣେ ମିଶିଯିବି ମାଟିରେ ,
ଲମ୍ବ ହେଇ ପଡିଯିବି ତାଳଗଛ ପରି ।
ହେଲେ ସେ ଇଚ୍ଛା ର କ'ଣ ହେବ ଯେ ?
ଶେଷ ବେଳେ ଶେଷ ଇଚ୍ଛା ମୋର ମନେ ନ ପଡିଲା ,
ବୋଧେ ସେକାଳରେ ଇଚ୍ଛା ମୋର ମରି ସାରିଥିଲା ।
୦-୦-୦
