STORYMIRROR

Chinmay Behera

Others

4  

Chinmay Behera

Others

ଶବ୍ଦର ସନ୍ଧାନେ

ଶବ୍ଦର ସନ୍ଧାନେ

1 min
181

ଶ୍ମଶାନର ଶବ୍ଦକୋଷ ଧରି ସେ ନିସ୍ତବ୍ଧ

କେଉଁ ଏକ ଶବ୍ଦର ସନ୍ଧାନେ,

ଶୋଷର ଶ୍ଵାସରେ ଛାଣି ସାୟାହ୍ନର ସ୍ତୋତ୍ର

ସନ୍ଦିହାନ କାହିଁକି କେଜାଣି

ସମ୍ପର୍କର ସଂକୀର୍ଣ୍ଣ ରାସ୍ତାରେ !!!


ସମ୍ପର୍କର ସଂଜ୍ଞା ଖୋଜି ଖୋଜି

ସଂକଳ୍ପର ସଂବେଗ ସଞ୍ଜରେ

ଲେଖେ ଯିଏ ସଂଳାପର ସଂକ୍ଷିପ୍ତ ଉତ୍ତର

କିଏ ବା କହିବ ତାକୁ

କଣ୍ଟକିତ ନାରୀ ସ୍ୱାଧୀନତା,

ବିସ୍ଫାରିତ ବିସ୍ମୃତିର ବାଲିବେଦୀ ପରେ

ହେଉ ବା ପିଙ୍ଗଳା ଅବା ଲକ୍ଷହୀରା

ବେବିନା କି ନିର୍ଭୟାର କଥା ।


ବଞ୍ଚିବାର ନାଁ ନେଇ ବଞ୍ଚିଛି ସେ

ବୟସର ବନ୍ଧନୀ ଭିତରେ,

ପୁଳା ପୁଳା ଅନ୍ଧାରର ଅଳନ୍ଧୁକୁ ପିଇ

ଅଳ୍ପାୟୁ ସେ, ବିଚ୍ଛେଦର ଅମେଧ୍ୟ କପାଳେ -

ଯନ୍ତ୍ରଣାର ଜଞ୍ଜିରରେ ଜନ୍ମାନ୍ଧ ସେ

ଅବଶିଷ୍ଟ ଲଜ୍ୟାର ଲଗ୍ନରେ,

ତଥାପି ସେ ଚାହେନାହିଁ

ସଙ୍କଳ୍ପରୁ ସିଦ୍ଧି ଆଉ ସିଦ୍ଧିରୁ ସନ୍ତକ

ଚାହେଁ ଖାଲି ସମତାର ସୂତ୍ର,

ମୋ ଦେଶର ଚିତ୍ରିତ ସକାଳେ ।


ସଂଘର୍ଷର ସୂଚୀପତ୍ର ଲେଖିବାକୁ

ଦେଇକି ପାରିବ ତାକୁ ସ୍ୱାଧୀନତା ?

ଦେଖେଇବ ଯିଏ ଦିନେ ଇତିଶ୍ରୀର ଇତିକଥା

କୁନ୍ଦୁଲିର କଳା କାରନାମା -

ଇତିହାସ ଏନ୍ତୁଡ଼ିକୁ ଫାଡ଼ି,

ଖାଲି ଯାହା ବାହାସ୍ଫୋଟ 

ଧର୍ମଘଟ, ପୋଡାଜଳା, ବନ୍ଦର ଡାକରା !!!

ଏବେ ଚରିତ୍ରର ଚିତ୍ରକଥା ଲେଖିବାକୁ

କଲମ ବି ନେଲାଣି ସନ୍ୟାସ,

ଖାଲିଯାହା ବଂଚିଅଛି ମିଛ ଗାନ୍ଧୀବାଦ

ଏ ଜାତିର ଛାତିପରେ ବିଞ୍ଚିବାକୁ ମୁଠାଏ ବିଶ୍ୱାସ ।



Rate this content
Log in