ଶାଶୁଘର
ଶାଶୁଘର
ସମୟ ଆସିଲା ଝିଅ ବାହା ହେଲା
ଝିଅ ଯିବ ଶାଶୁଘର
ମନରେ ପଶିଛି କେତେ ଯେ ଆବେଗ
ହିସାବ ନାହିଁ ତାହାର ।
ଶାଶୁଟି କିପରି ହୋଇଥିବ ପୁଣି
ଶଶୁର କିପରି ହେବେ
ଦିଅର ନଣନ୍ଦ ଆଉ ସବୁ କିଏ
କେଉଁପରି ହୋଇଥିବେ ।
ଶାଶୁର ସୋହାଗୀ ହେବ ସେ
କିପରି ଶଶୁରର ଆପଣାର
କିପରି କରିବ ନଣନ୍ଦ ଦିଅର
ସଭିଙ୍କୁ ତାର ନିଜର ।
ବାପଘରେ ସିନା ଝିଅଟି ଅଝଟ
ସୁନାନାକୀ ହେଉଥିଲା
ଟିକିଏ କଥା ତା ମନକୁ ନ ଗଲେ
କିଛି କହି ଦେଉଥିଲା ।
ଋଷିବା କାନ୍ଦିବା ସବୁ କରୁଥିଲା
ମାଆ ତା ବୁଝାଉଥିଲେ
ଶାଶୁଘରେ କିଏ ବୁଝାଇବ ତାକୁ
ଏମିତି ସବୁ କରିଲେ ।
ନିଜର ମନକୁ ନିଜେ ବୁଝାଇବ
ସକାଳୁ ବେଗେ ଉଠିବ
ଖାଇବାକୁ ଦେଇ ସଭିଙ୍କୁ ସଭିଙ୍କ
ପଛରେ ସିଏ ଖାଇବ ।
ଶାଶୁଘରେ ରହି ନିଜର ଧରମ
ନିଜେ ସିଏ ନିଭାଇବ
ପତି ପ୍ରାଣପ୍ରିୟା ହୋଇ ସେ ଆପଣା
କରମ ସବୁ କରିବ ।
ସରଗପୁର ତା ଶାଶୁଘର ହେବ
ସଭିଙ୍କୁ ସୁଖ ବାଣ୍ଟିବ
ଶାଶୁ ଶଶୁରଙ୍କ ସୁନାବୋହୂ ହୋଇ
ଶାଶୁଘରେ ସେ ରହିବ ।
