ଶାନ୍ତି ତଲାସରେ ଅଶାନ୍ତ ମନ
ଶାନ୍ତି ତଲାସରେ ଅଶାନ୍ତ ମନ
ନଭଶ୍ଚୁମ୍ଭି ପ୍ରାସାଦେ ବିରଳ ଶାନ୍ତିର ପୁଲକ
ପଞ୍ଚତରକା ଭୋଜନାଳୟେ ଶାନ୍ତି ଅତି ଦୁର୍ଲ୍ଲଭ,
ଦୁର୍ଲ୍ଲଭ ମନର ଦୁର୍ଲ୍ଲଭ ପ୍ରୟାସ ଏକ
ଶାନ୍ତି ତଲାସରେ ମୋ ଅଶାନ୍ତ ମନ।।
ମନେ ଅଶାନ୍ତିର ଶୂନ୍ୟ ମନ୍ଦିର
ଚିନ୍ତା ଚେତନା ପୂଜକ ଏ ମନର,
ମନ୍ଦିରେ ଅଶାନ୍ତି ଚଳନ୍ତି ଠାକୁର
ନିଛକ ପ୍ରାଣରେ ଅଶାନ୍ତ ଈଶ୍ୱର।।
ଶାନ୍ତି ଏକ ବଣମଲ୍ଲୀ,
ଅପେକ୍ଷା ଅନଳେ ସଦା ହୁତାସିତ
ବଣମଲ୍ଲୀରୁ ହେବାକୁ ଶିରମଲ୍ଲିରେ ରୂପାନ୍ତରିତ
ସଦାସର୍ବଦା ସେ ଚେଷ୍ଟିତ।।
ଏ ମନ ଆଗାରେ ଅଶାନ୍ତ ମାଲିକ
ସର୍ବେସର୍ବା ବୋଲି ବଡ଼େଇ ଅନେକ,
ବକ୍ଷ ଫୁଲାଉଛି ଅଶାନ୍ତ ଭ୍ରମର
ନିରୀହ ମଣିଷ ଯେ ସୁମନ ସାର।।
ଅଶାନ୍ତି ଅଶାନ୍ତେ ମନ ଅଶାନ୍ତ
ନିଛକ ପ୍ରାଣ ବ୍ୟାକୁଳ କିଞ୍ଚିତ,
ଅଶାନ୍ତ ମନେ ଶାନ୍ତିର ପ୍ରାପ୍ତ
ଆଶା କି ହୋଇପାରେ ଏ ମନର ଅନ୍ତ!!!!
ଅଶାନ୍ତ ଦ୍ବିପେ ପ୍ରାଣର କଷଣ
ମନୁଷ୍ୟ ଏଠାରେ କିଂକର୍ତ୍ତବ୍ୟବିମୁଢ଼,
ଶାନ୍ତି ଆବେଗର ରଣହୁଙ୍କାର ଏକ
ଶାନ୍ତି ତଲାସରେ ମୋ ଅଶାନ୍ତ ମନ।।
ଶୂନ୍ୟ ଅଶାନ୍ତ ବିଦ୍ୟମାନ
ଅଶାନ୍ତ ଦନୁଜ ଆଗରେ ନିବାସ
ଆଜି ଏ ବୁଝାଅବୁଝା ମନ,
ଅପେକ୍ଷା ଲୋଚନେ ଶାନ୍ତିର ଆଗମନ
ଶାନ୍ତି ତଲାସରେ ମୋ ଅଶାନ୍ତ ମନ।।
