STORYMIRROR

Satyabati Swain

Others

3  

Satyabati Swain

Others

ସେମାନେ କହିଲେ

ସେମାନେ କହିଲେ

1 min
254

 ଆଶ୍ଵିନ ଆସିଲା

କାଶ ତଣ୍ଡିରେ ସ୍ୱପ୍ନ ଗଣ୍ଠିଲି ଧରି

ବିମଳ ଜ୍ୟୋତ୍ସ୍ନା ରେ 

ଗାଧୋଇ ଦେଲା ଦିହ।


ମାଆ ଆସିଲେ

ବଜାର ସହର ହେଲା ଗହ ଗହ

ଭକ୍ତି ଗଦ୍ ଗଦ୍ ପ୍ରାଣେ

ଭକ୍ତ ହେଲା ଉଷତ ।


ଭସାଣି ହେଲା

ସବୁ ଭକ୍ତି ଶକ୍ତି ଠପ୍

ମାଆ ଫିଙ୍ଗା ହେଉଥିଲେ

ଟଣା ଭିଡା ହୋଇ

ଅଧେ ପାଣିରେ ଅଧେ ମାଟିରେ

ଭକ୍ତ ଉଦ୍ଧତ ଓ ଉନ୍ମତ୍ତ

ଆକାଶ ନାଲି ପାଣିରେ।


ପୁଣି ଦିୱାଲି ଆସିଲା

ଦୀପ ଜଳିଲା

ଟଙ୍କା ପୋଡ଼ା ହେଲା

କିଏ ମଲା କିଏ ପୋଡି ହେଲା

ବାଣ ଫୁଟାରେ

ଆଲୋକ ଆନନ୍ଦର ପର୍ବ

ଅସତ୍ୟ ଉପରେ କାଳେ

ସତ୍ୟର ଜୟ।


କାଉଁରିଆ କାଠି ଜଳିଲା

ପିତୃପୁରୁଷ ଡକାହେଲେ

ବଡ଼ ବଡୁଆ ହୋ

ଅନ୍ଧାରରେ ଆସ

ଆଲୁଅରେ ଯାଅ

ଗଙ୍ଗା ଯାଅ

ଗୟା ଯାଅ

ପୁରୀ ଯାଅ

ମହାପ୍ରସାଦ ଖାଇ

ବାଇଶି ପାହାଚରେ 

ଗଡ଼ ଗଡଉଥାଏ।


ବଡ଼ ବଡୁଆ କହିଲେ

ତୁମେ ତ 

ଅନ୍ଧାରୀ ରାଜା

ତୁମର ଅନ୍ଧ ରାଇଜ

ଅନ୍ଧ ପ୍ରଜା

ତୁମେ ଆଲୋକ କଣ ଜାଣିଛ

ଆମକୁ ଦେଖାଇବ!

ତୁମେ ଗଙ୍ଗା ,ଗୟା ମାହାତ୍ମ୍ୟ ବୁଝିଛ!

ବୁଝିଛ କଣ ମହାପ୍ରସାଦ !


ମାଆ କହିଲେ

ତୁମେ ଅମଣିଷ

ଗୋଟେ ଗୋଟେ ମହିଷାସୁର

ନୁହଁ ମୋର ଭକ୍ତ।


ପିତୃପୁରୁଷ କହିଲେ

ତୁମେ କୁଳଙ୍ଗାର 

ଅଯୋଗ୍ୟ

ନୁହଁ ଆମ ଦାୟାଦ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍