STORYMIRROR

SUKANTA KHANDA

Others

4  

SUKANTA KHANDA

Others

ସେହି ମୋ ପ୍ରିୟ ଜନମ ଭୂଇଁ

ସେହି ମୋ ପ୍ରିୟ ଜନମ ଭୂଇଁ

1 min
298


ଯେଉଁ ଦେଶରେ ଜନମ ମୋର

 ଯାହାର ପାଣି ପବନ ପାଇ

 ବଢି଼ ଚାଲିଛି ଛୋଟରୁ ବଡ଼

  ସେହି ମୋ ପ୍ରିୟ ଜନମ ଭୂଇଁ।


ଯେ'ଦେଶେ ବହେ ଗଙ୍ଗା ଯମୁନା

 ଯେ'ଦେଶେ ଠିଆ ହିମାଳୟ

 ଯେ'ଦେଶେ ଉଡେ଼ ତ୍ରିରଙ୍ଗା ବାନା

  ସେହି ମୋ ଭୂଇଁ ବିଶାଳକାୟ।


ସମୁଦ୍ର ଯହିଁ ପାଦକୁ ଧୁଏ

 ଯାହାର ଦେହେ ସାଇତି ଅଛି

 ମଣି ମୁକୁତା ସୁନା ରୂପାରେ

  ହୃଦୟ କୋଣେ ଧରି ପାରିଛି।


ଯେଉଁ ଦେଶରେ ସଭିଏଁ ଆଜି

 ସମାନ ଅଟେ ଭଉଣୀ ଭାଇ

 ଧରମ ଲିଙ୍ଗ ଭେଦ ଭାବନା

  ମନ ଗହନେ ଆଣେ କି କେହି ।


ସତ୍ଯର ପଥେ ରହିବା ପାଇଁ

 ଏ ଦେଶେ ପଣ କରିଛି ଆଜି

 ଅନ୍ଯକୁ ମୋଟେ ମିଛ ବାହାନା

  କରେନି କେବେ ଗଲେ ବି ଭାଜି।


ଜୀବନ ସଦା କରମ କରି

 ବଞ୍ଚିବା ଶିକ୍ଷା ଦେଇଛି ଯିଏ

 ସେହି ମୋ ପ୍ରିୟ ଭାରତ ଦେଶ

  କୋଳରେ ମୋତେ ବସାଏ ସିଏ।


ଗହନ ବନ ଶ୍ଯାମଳ ତରୁ

 ଶୋଭା ବଢା଼ଏ ପିନ୍ଧାଇ ଲୁଗା

 ଏ ପାଟ ଶାଢୀ଼ ଧରଣୀ ମାଆ

  ସଜେଇ ହୁଏ ନ ଦେଇ ଦଗା।


ଏ ଦେଶ ବଡ଼ ଠାକୁର ରାଜା

 ଜଗନ୍ନାଥଙ୍କୁ ନ ଚିହ୍ନେ କିଏ

 ବିଶ୍ବରେ ଯାର ଚହଳ ଆଜି

  ତାର ପାଖରେ ମୁଣ୍ଡ ନୁଆଁଏ।


ଜଗତେ କିଏ ହୋଇବ କୁହ

 ମୋର ଜନମ ଭୂଇଁଟି ପରି

 ଯାହାକୁ ନେଇ ଗରବ ମୋର

  କେ'ହେବ କୁହ ତାହାର ସରି।


କୋଟି ପ୍ରଣାମ ଘେନ ମୋହର

 ଜନମ ଭୂଇଁ ଆହେ ଭାରତ 

 କୃତାର୍ଥ ହେଲି ସବୁକୁ ପାଇ

  ବଞ୍ଚାଇ ଅଛ କରିକି ମିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍