ସେଦିନ ରିଂ ରୋଡ଼ରେ
ସେଦିନ ରିଂ ରୋଡ଼ରେ
ବେପରୁଆ ଚାଲୁଥାଏ ସିଏ ରୋଜ
ରିଂ ରୋଡ଼ ପଥଧାରେ
ଏକଇ ଢଙ୍ଗରେ,ଏକଇ ମୁଦ୍ରାରେ ।
ଗୁଣୁଗୁଣୁ ପଚାରୁ ଥାଏ କିଛି
ମନକୁ ମନ,
ଟୁଙ୍ଗାରି ଟୁଙ୍ଗାରି ମୁଣ୍ଡ
ଜବାବ ରଖେ ନୀରବରେ ପୁଣି
ଧରୁଥାଏ କାନ ।
ଅଚାନକ ଚାଲିଯାଏ କେଉଁଆଡେ
ଖବର ନଥାଏ ପଥକୁ ଅବା
ପଥପାର୍ଶ୍ଵ ବୃକ୍ଷ ଓ ବିଜୁଳି ଖମ୍ବକୁ ।
ସୂର୍ଯ୍ୟ ବି ନୀରବ ନିଥର,
ଅସମର୍ଥ ଦେବାକୁ ଉତ୍ତର ।
ରଥ,ପଥ ଅବା ପଥଯାତ୍ରୀ
ସତେ ଗାନ୍ଧିଙ୍କ ତିନି ମାଙ୍କଡ ମୂର୍ତ୍ତି ।
ସେଦିନ ସେଇ ରିଂ ରୋଡ଼ରେ
ମନ ଖୋଜୁଥିଲା ତା'ର ଉପସ୍ଥିତି,
ବିଶ୍ୱାସର ବଳୟ ଭେଦି
ଅବିଶ୍ୱାସୀ ଚକ୍ଷୁ ଦ୍ବୟ ଅଣ୍ଡାଳୁଥିଲେ
ତା'ର ଆନମନା ବେପରୁଆ ଗତି ।
କିନ୍ତୁ,
ନିରାଶା ନଈରେ ବିଧବା ଜହ୍ନର ଛାଇପରି
ମୋର ଆତ୍ମବିଶ୍ୱାସ
ଏନ୍ତୁଡ଼ିଶାଳରୁ ହିଁ ନେଉଥିଲା ସମାଧି ।
ବିତିଗଲା ଦୀର୍ଘ ଅବଧି ଦ୍ଵନ୍ଦ୍ଵରେ ଦ୍ବନ୍ଦ୍ୱରେ,
ମଳିନ ହେଲା ତା' ମୁଖ କ୍ରମେ
ସ୍ମୃତି ଆଇନାରେ ।
କେବେ ଦିନେ ବନ୍ଧୁ ସାଥେ
ବୁଲୁବୁଲୁ ମୁଖ୍ୟପଥେ ଅନ୍ୟ ସହରରେ,
ଅକସ୍ମାତ ଭେଟହେଲା ତାହାରି ସାଥିରେ ।
ଅବିକଳ ସେଇ ଢଙ୍ଗ, ସେଇ ଠାଣି,
ସମାନ ମୁଦ୍ରାରେ ।
ଆକଟେଇ ନପାରି ଅଥୟ ମନକୁ
ପଚାରିଦେଲି ତା' ସହର ବଦଳାଇବାର ଭେଦ,
ପ୍ରଶ୍ନ ପରେ ପ୍ରଶ୍ନ, ନରଖି କାମ କି ପୂର୍ଣ୍ଣଛେଦ ।
ପ୍ରଥମେ ଭୟ ଓ ପରେ ଭରସାରେ
ଯାହା ସେ କହିଲା ଇସାରା ଇସାରାରେ
ବୁଝିବାକୁ ଅବୋଧ୍ୟ ନଥିଲା,
ଲୁଚିଲୁଚି ପିଲାଦିନେ କ୍ଷୀରସର ଖାଇ
ବିଲେଇ ନାଁରେ ଦେବା
ଓ ପରେ ସେଇ ବିଲେଇକୁ ଓଲେଇ କହି
ଅଖାରେ ପୂରାଇ ବାପା ଅନ୍ୟତ୍ର ଛାଡିବା
ସ୍ମୃତି ସବୁ ଉତ୍ଜୀବିତ ହେଲା ।
କି ନିର୍ଦୟ ସତେ ଏଇ ବୁଦ୍ଧିଆ ମଣିଷ !
ବିଚକ୍ଷଣ ବୁଦ୍ଧିବଳେ ନିଜଦୋଷ ତା'ର
ନିରୀହର ମାଥେ ବୋଳି,
ଫିଙ୍ଗି ଦେଇପାରେ ତାକୁ ଅଳିଆ ସଦୃଶ ।
ଅବସୋସ !
ଅବସୋସ ଲାଗେ ଆଜି କହିବାକୁ ମୋତେ
ମୁଁ ଯେ ତାହାରି ବଂଶଜ ।।
