ସେ ବ୍ରଜ ନାରୀଙ୍କ ପୟରେ
ସେ ବ୍ରଜ ନାରୀଙ୍କ ପୟରେ
ଗୋପ ନଗରୀର ଗୋପ ନାଗରୀ
ସବୁଠାରୁ ଭିନ୍ନ ରାଇ କିଶୋରୀ ।
ଅଜ୍ଞାନ ଆଭିରୀ ନାରୀ ଗୋପୀକା
ମଥାରେ ଲଗାଇ କଳଂକ ଟୀକା ।
ତାଙ୍କ ପ୍ରେମ ଗାଥା ବିଶ୍ୱେ ବିରଳ
ତ୍ୟାଗ ରେ ପ୍ରେମର ଦୀପ୍ତି ଉଜ୍ଜ୍ୱଳ ।
ଅଷ୍ଟ ପାଟବଂଶୀ ଦେଖି ଶକତି
ଶରଣ ପଶିଲେ ରାଜାଙ୍କ କତି ।
ଉଦ୍ଧବଙ୍କ ଗର୍ବ ହୋଇଲା ଚୁନା
ନାରଦ ହୋଇଗଲେ ବାଟବଣା ।
ଅକୃର ଫେରିଲେ ଲୁହ ବୁହାଇ
ନିଷ୍କାମ ପ୍ରେମର ତୁଳନା ନାହିଁ ।
ମୋ କୃଷ୍ଣ ନୁହେଁ ମୁଁ ଅଟେ କୃଷ୍ଣର
ଏପରି ଭାବନା ଅଛି କାହାର !
ଜ୍ଞାନ ଭକ୍ତିରେ ସେ ପ୍ରାପତି କାହିଁ
ରାଧା ପରି ଆରାଧିନୀ କେ ନାହିଁ ।
ସେଥିପାଇଁ କାଳେ ଜଗତ ସାଇଁ
ଦେହି ପଦ ପଲ୍ଲବ ମୁଦାରମ୍ କହି ।
ରାଧା ଭାବ ହୃଦେ ଲଭିବା ପାଇଁ
ବାଇଆ ହେଲେ ଚୈତନ୍ୟ ଗୋସାଇଁ ।
ଅତିବଡି ଜଗନ୍ନାଥ ଦାସ ମହାପ୍ରୁ
ନାରୀ ରୂପ ସେଇ ରାଧା ଭାବରୁ ।
ଜଗତରେ ଯେଣୁ ଗୋଟିଏ ସ୍ୱାମୀ
ଜଗତର ନାଥ ସେ ଅନ୍ତର୍ଯ୍ୟାମୀ ।
ପୌରୁଷ ଗୌରବ ଯାଠାରେ ଅଛି
ହରି କେବେ ତାକୁ ଧରା ଦେଇଛି !
ଜ୍ଞାନ ଭକ୍ତିରେ ଯା ଦୁର୍ଲଭ ପ୍ରାପ୍ତି
ଗୋପୀଭାବେ ହୁଏ ସୁଲଭ ଅତି ।
ସେ ବ୍ରଜ ନାରୀ ପୟରେ ଶରଣ
ଶରଣ ରକ୍ଷଣ ହେ ନାରାୟଣ ।
-ବିଶ୍ୱେଶ୍ଵର ମାଝୀ-