STORYMIRROR

Kali Kumar

Others

4  

Kali Kumar

Others

ସେ ଅସ୍ତିତ୍ୱହୀନ ଜୀବନ

ସେ ଅସ୍ତିତ୍ୱହୀନ ଜୀବନ

1 min
303

କେବେ ଅନୁଭବ କରିଛ ସେ କ୍ଷୁଧାକୁ

ଯାହା ସମୁଦ୍ରର କ୍ଷୁଧାଠୁ 

ଅଧିକ ଗଭୀର, ଅନେକ ଗମ୍ଭୀର

ଯାହା ଶରୀରର 

ମ୍ଳାନ, ନୁଖୁରା,ଅବସନ୍ନ ଅଙ୍ଗପ୍ରତ୍ୟଙ୍ଗରେ

ଛିଣ୍ଡା ମଇଳା ପୋଷାକର

ଗଂଠୁଲି ମଧ୍ୟରେ ସୀମାହୀନ ହୋଇଯାଏ ।।


କେବେ ଆକଳନ କରିଛ ସେ ସ୍ବପ୍ନକୁ

ଯାହା ଆକାଶର ସୀମାଠୁ

ଅଧିକ ଉଚ୍ଚ, ଅଧିକ ପରିବ୍ୟାପ୍ତ

ଯାହା ଆଖିର 

ଅକ୍ଷାଂଶ ଓ ଦ୍ରାଘିମା ମଧ୍ୟରେ

ଛିଦ୍ର ଛପରର ରଙ୍ଗହୀନ ପଲିଥିନ୍ ମଧ୍ୟରେ

ଜୀବନ୍ୟାସ ପୂର୍ବରୁ ସମାଧିସ୍ଥ ହୋଇଯାଏ ।।


କେବେ ଅନୁଧ୍ୟାନ କରିଛ ସେ ଜୀବନକୁ

ଯାହା ଇନ୍ଦ୍ରଧନୁର ରଙ୍ଗପରି

ଅଧିକ ରଙ୍ଗୀନ୍, ଅଶେଷ ସ୍ୱପ୍ନିଳ

ଯାହା ଚରିତାର୍ଥ ହେବାର ଅନତି ପୂର୍ବରୁ

ସ୍ୱୟଂ ସମ୍ପୂର୍ଣ୍ଣ ହେବାର ଅଶେଷ ଦୂରରୁ

ଓଳି ପାଣିର ଫଟକା ପରି 

ନିରର୍ଥକ, ମୂଲ୍ୟହୀନ, ଅସ୍ତିତ୍ୱହୀନ ହୋଇଯାଏ ।।


କେବେ ବଞ୍ଚିବାକୁ ଚେଷ୍ଟା କରିଛ ସେ ଯୌବନକୁ

ଯାହା ପ୍ରକୃତିର ଅନନ୍ୟ ସୃଷ୍ଟି ଭଳି

ଯେତେ ମନରୋମ, ସେତେ ଆକର୍ଷଣୀୟ

ଯାହା ଝରି ପଡ଼େ

ଜୀବନର ଅଦିନିଆ ଅଦେଖା ମୋଡ଼ରେ

ଅତୀତର ଆଚ୍ଛାଦିତ ତିମିର ପ୍ରବାହରେ

ଅର୍ଥହୀନ,ସମ୍ଭାବନାହୀନ ହୋଇଯାଏ ।।


କେବେ ନିରୀଖି ଦେଖିଛ ସେ ଭବିଷ୍ୟତକୁ

ଯାହା ଧ୍ରୁବତାରାଠୁ

ଅଧିକ ଉଜ୍ଜ୍ୱଳ, ଅନେକ ଅନାବିଳ

ଯାହା ଟ୍ରାଫିକ୍ ଲାଇଟ୍ ର 

ରଙ୍ଗୀନ୍ ଆଲୋକ ସହ ପ୍ରତିଯୋଗିତା କରୁ କରୁ

ଅସମୟରେ ନିଶ୍ଚିହ୍ନ ନିଷ୍ପ୍ରଭ ହୋଇଯାଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍