ସେ ଆମ ଜେଜେ
ସେ ଆମ ଜେଜେ
ମୁଣ୍ଡରେ ତାଙ୍କର ଧବଳ କେଶ
ପାକୁଆ ପାଟିକୁ ପାଚିଲା ନିଶ
ମୁହେଁ ଲାଖିଥାଏ ସଦା ହରଷ ୲୲
ହାତେ ଥାଏ ତାଙ୍କ ବଙ୍କୁଲିବାଡ଼ି
ଗଛ ଲଗାନ୍ତି ସେ ଧାଡ଼ିକିଧାଡ଼ି
ଖୁସିରେ ବସନ୍ତି ଖବର ପଢି ୲୲
ପିନ୍ଧିଥାନ୍ତି ଧୋତି ମାରିଣ କଛା
କନ୍ଧେ ଥାଏ ତାଙ୍କ ନାଲି ଗାମୁଛା
ଦିଅଁ ଦରଶନେ ତାଙ୍କରି ଇଚ୍ଛା ୲୲
ଆଖିରେ ତାଙ୍କର ମୋଟା ଚଷମା
ଦେହେ ଥାଏ ତାଙ୍କ ସଫେଦ ଜାମା
ଅଭିଯୋଗ ତାଙ୍କ ନଥାଏ ଜମା ୲୲
ସବୁରି ମଙ୍ଗଳ ଇଚ୍ଛନ୍ତି ନିତି
ଗପ ଶୁଣାନ୍ତି ସେ ନିଇତି ରାତି
ସିଏ ପରା ଆମ ପ୍ରିୟର ସାଥୀ ୲୲
ବଡି ଭୋରରୁ ଛାଡନ୍ତି ଶେଜ
ସକାଳ ବୁଲାକୁ ହୁଅନ୍ତି ସଜ
ପାନ ବଟୁଆଟି ପ୍ରିୟର ଚିଜ ୲୲
ଆମକୁ ପାଖରେ ନିତି ବସାନ୍ତି
ନୀତି ଉପଦେଶ କେତେ ଦିଅନ୍ତି
ଆଦର୍ଶ ମାର୍ଗଟି ସଦା ଦେଖାନ୍ତି ୲୲
ଅତି ପ୍ରିୟ ତାଙ୍କ ଆମରି ଗାଆଁ
ତାଙ୍କ ପାଇଁ ପରା ବାପାଙ୍କ ନାଆଁ
ଜାଣିଛ କି ପିଲେ ତାଙ୍କରି ନାଆଁ ୲୲
ବାପାଙ୍କର ବାପା ସିଏ ଅଟନ୍ତି
ନାତି ନାତୁଣୀଙ୍କ ପ୍ରିୟ ଅଟନ୍ତି
ଜେଜେ ନାମେ ଆମେ ତାଙ୍କୁ ବୁଲାନ୍ତି ୲୲
