ସବୁଠୁ ସୁନ୍ଦର
ସବୁଠୁ ସୁନ୍ଦର
ସବୁଠୁ ସୁନ୍ଦର ଥିଲା
ପିଲାଦିନେ ସୁରୁଜଙ୍କ
ପହିଲି କିରଣ
ଭିଜୁଥିଲି ହଜୁଥିଲି ତା ଛୁଆଁରେ
ଭିଜୁଥିଲା ବିଲ ବୁଦା ବଣ
ନାହିଁ ଆଉ ସେଦିନ କି
ନାହିଁ ଆଉ ସେ ସୁନେଲି ଦିନ ।।
ତା ଠାରୁ ସୁନ୍ଦର ଥିଲା
କାଦୁଅ ରାସ୍ତାରେ
ବିତିଥିବା ଝିପିଝିପି ବର୍ଷାଦିନ
ପ୍ରଜାପତି ଧରିବା ନିଶାରେ
ଧାଉଁଥିବା ଅମାନିଆ ମନ
ତା ସହ କଳା ଧଳା ବଉଦର
ଲୁଚକାଳି ଖେଳ
ମା'ର କାନମୋଡା
ମିଠା ତା ଚାପୁଡ ।।
ଆହୁରି ସୁନ୍ଦର ଥିଲା
ମୋ କୁନି ଆଖିରେ
ଘାସ ଦେହେ କାକରର
ଅପୂର୍ବ ମେଲଣ
ଧୂଳିଉଡା ଗୋଧୂଳିରେ
ଶୀତର ମିଶାଣ
ଆମ ଗାଁ ମଉଛୁକ
ମକର ଚାଉଳ
ମା ହାତ ପୋଡ଼ପିଠା
ଶୀତୁଆ ସକାଳ
ବାଡି ଖରା ବଡି ଚୂରା
ତା ସାଥେ ପଖାଳ
ଖଳା ଦେହେ
ଛିଟ ଛିଟ ଝୋଟିର ଆଞ୍ଚଳ ।।
କେତେ ଯେ ସୁନ୍ଦର ଥିଲା
ପତ୍ର ଝଡା ଚୈତ୍ରର
ସେ ଝାଞ୍ଜି ପବନ
ଖଣ୍ଡିଆ ଭୂତ ସହ
କାଠି କୁଟା ଧୂଳିର ଉଡାଣ
ତୋଟା ମାଳ
ବସନ୍ତ ବଉଳ
ଶ୍ରାନ୍ତ କ୍ଲାନ୍ତ ନୀଡ ମୁହାଁ
ଫେରନ୍ତା ପକ୍ଷୀ ଦଳ ଦଳ
ଭାବନାରେ ଯାହା ଆଜି
ଭରୁଥାଏ ବଳ ।।