ସ୍ବତନ୍ତ୍ର ଉତ୍କଳର ସ୍ମୃତି ଗାଥା
ସ୍ବତନ୍ତ୍ର ଉତ୍କଳର ସ୍ମୃତି ଗାଥା
ଏ ଦେଶ ଭାରତ ଦୁଇ ଶହ ବର୍ଷ ,
ଇଂରେଜ ଶାସନେ ହୋଇଥିଲା ବଶ ।
ବଦେଶୀଙ୍କ ଅତ୍ୟାଚାରେ ଦେଶବାସୀ ,
ଦୁର୍ଦ୍ଦିନରେ କାଳ କାଟୁଥିଲେ ବସି ।
ନିଷ୍ଠୁର ଶାସନେ ହୋଇ ନିଷ୍ପେସିତ ,
ଦୁଃଖ ଯନ୍ତ୍ରଣାରେ ପାଉଥିଲେ କଷ୍ଟ ।
ସମଗ୍ର ଦେଶର କୋଣ ଅନୁକୋଣ ,
କରୁଥିଲେ ସ୍ବେଚ୍ଛାଚାରୀର ଶାସନ ।
ପରାଧୀନ ଶୃଙ୍ଖଳରେ ହୋଇ ଛନ୍ଦି ,
ଭାଗ୍ୟକୁ ଆଦରି ହେଉଥିଲେ ବନ୍ଦୀ ।
ବଦେଶୀ ଶାସନେ ହୋଇଲେ ଅତିଷ୍ଠ ,
ନେତୃବୃନ୍ଦ ସର୍ବେ ହେଲେ ଏକତ୍ରିତ ।
ଦେଶବାସୀଙ୍କର ଦେଖି ଦୁଃଖ କଷ୍ଟ ,
ସ୍ବରାଜ୍ୟ ପାଇଁ କି ହେଲେ ସତ୍ୟନିଷ୍ଠ ।
ସ୍ବାଧୀନତା ପାଇଁ ଆତ୍ମବଳିଦାନ ,
ସହୀଦ ହୋଇଲେ କରି ଆନ୍ଦୋଳନ ।
ସିଂହ ପରି ଯୁଦ୍ଧି ହେଲେ କାରାବାସ ,
ବୀରଗତି ଲଭି ରଖିଲେ ସୁଯଶ ।
ଇଂରେଜଙ୍କ ଶ୍ଯେନ ଦୃଷ୍ଟିରୁ ମୁକତି ,
ନହୋଇ ଉତ୍କଳ ଲଭିଲା ଦୁର୍ଗତି ।
ସ୍ବାଧୀନ ନିମନ୍ତେ କଲେ ସତ୍ୟାଗ୍ରହ ,
ସ୍ବାଧୀନ ହୋଇଲା ଏ ଦେଶ ସମୂହ ।
ମୋ ଉତ୍କଳ ମାତା ସୁଷମାର ରାଣୀ ,
ସନ୍ତାନ ବତ୍ସଳା ଆଶିଷଦାୟିନୀ ।
କଳା,ସଂସ୍କୃତି ଓ ଜ୍ଞାନର ଆକର ,
ତା'ର ଖ୍ୟାତିଥିଲା ଭୁବନେ ଅପାର ।
ବୀର ପ୍ରସବିନୀ ଏ ରାଜ୍ୟ ଉତ୍କଳ ,
କଲେ ମାତୃସେବା ଦେଖାଇ ସ୍ବବଳ ।
ଗଙ୍ଗାଠାରୁ ଗୋଦାବରୀ ପରଯନ୍ତ ,
ଏ ରାଜ୍ୟ ଉତ୍କଳ ଥିଲା ସୁବିସ୍ତୃତ ।
ସ୍ବାଧୀନତା ପର ଉତ୍କଳ ଅବସ୍ଥା ,
ଆପଣା ଶତୃଠୁ ପାଇଥିଲା ବ୍ଯଥା ।
ସର୍ବସମ୍ପଦରେ ଥିଲା ପରିପୂର୍ଣ୍ଣ ,
ସର୍ବସ୍ଵ ଲୁଟିଣ କରିଲେ ଶ୍ରୀହୀନ ।
ଇଂରେଜଙ୍କ ଅନ୍ତେ ବଙ୍ଗ ଓ ବିହାର,
ଆନ୍ଧ୍ର ଦ୍ବାରା ରାଜ୍ୟ ହୋଇଲା ଅସ୍ଥିର ।
ଭାଷା ଓ ଜାତିକୁ କଲେ ବ୍ୟତିବ୍ୟସ୍ତ,
ଉତ୍କଳଜନନୀ ହେଲା ସନ୍ତାପିତ ।
ବଙ୍ଗୀୟଙ୍କ ଷଡଯନ୍ତ୍ରର ଶିକାର ,
ଉତ୍କଳ ହୋଇଲା ଦୁଃଖରେ କାତର ।
ଉତ୍କଳର ନାହିଁ ନିଜ ମାତୃଭାଷା,
‘ଓଡ଼ିଆ’ ବଙ୍ଗର ରୂପାନ୍ତର ଭାଷା ।
ତତ୍କାଳର ଉତ୍କଳର ନେତୃବୃନ୍ଦ,
ସ୍ବତନ୍ତ୍ର ଉତ୍କଳ ପାଇଁ କି ଚିନ୍ତିତ ।
ଜାତି ଓ ଭାଷାର ସୁରକ୍ଷା ନିମିତ୍ତ ,
ନେତୃବୃନ୍ଦ ସର୍ବେ କରିଲେ ଶପଥ ।
ସ୍ବତନ୍ତ୍ର ଉତ୍କଳ ଗଠନ ସକାଶେ,
ମଧୁସୂଦନଙ୍କ ଅଦମ୍ୟ ସାହସେ ।
ଗଢ଼ିଲେ ଉତ୍କଳ ଐକ୍ୟ ସଙ୍ଗଠନ,
ଉତ୍କଳ ରାଜ୍ୟର ରଖିବାକୁ ମାନ ।
ଫକୀରମୋହନ, କବି ଗଙ୍ଗାଧର ,
ଉତ୍କଳମଣି ଓ ନାଥ କବିବର ।
ପାରଳାର ରାଜା କୃଷ୍ଣ ଗଜପତି ,
ବାମଣ୍ଡାରାଜନ ବାସୁଦେବ ଆଦି ।
ନୀଳକଣ୍ଠ ଦାସ ଓ ଭୁବନାନନ୍ଦ,
ସମବେତ ହେଲେ ମହାରଥୀ ବୃନ୍ଦ ।
ଏହି ମହାତ୍ମାଙ୍କ ଦୃଢ଼ ପ୍ରତିବାଦ ,
ପଡୋଶୀ ଶତୃଙ୍କୁ କରଥିଲା ସ୍ତବ୍ଧ ।
ମାଡ୍ରାସ ପ୍ରେସିଡ଼େନ୍ସୀରେ ଅନଶନ,
ବଜ୍ର ନିର୍ଘୋଷରେ କରିଲେ ଗର୍ଜନ ।
ଟଳମଳ ହେଲ ଅରି ଙ୍କ ଆସନ ,
ଆତଙ୍କିତ ହେଲେ ବଡ଼ଲାଟ ଗଣ ।
ଉନବିଂଶ ଶତ ଛତଶବର୍ଷରେ,
ଅପ୍ରେଲ୍ ମାସର ଏକ ତାରିଖରେ ।
ଉତ୍କଳ ହୋଇଲା ସ୍ବତନ୍ତ୍ର ପ୍ରଦେଶ ,
ଓଡ଼ିଆ ଭାଷାର ବଢ଼ିଲା ସୁଯଶ ।
ସ୍ବାବଲମ୍ବୀ ହେଲା ଆତ୍ମବିଶ୍ବାସରେ,
ଆତ୍ମପରିଚୟ ଦେଇ ଏ ରାଷ୍ଟ୍ରରେ I
ଶତ୍ରୁଙ୍କ ମୁଖରେ ଲେପି ଚୂନ-କାଳି,
ବନାଇଲ ବୋକା ହୋଇ ସିଂହଭଳି ।
ସଂଗ୍ରାମ ବଳରେ ଜନନୀର ମୁକ୍ତି,
ରାଜ୍ୟବାସୀ ପାଇଲେ ଅସୀମ ଶାନ୍ତି ।
ଅଷ୍ଟଦଶନ୍ଧିର ଦୀର୍ଘ ବ୍ୟବଧାନ,
ତଥାପି ଉତ୍କଳ ଆଜି ବି ଶ୍ରୀହୀନ ।
ଅବସାନ ହେଲା ବ୍ରିଟିଶ ଶାସନ,
ଦେଶ ତ୍ୟଜି ଶତ୍ରୁ କଲେ ପଳାୟନ ।
ସର୍ବ ବୈଭବରେ ହୋଇ ଭରପୂର,
ଉତ୍କଳ ବୋଲାଏ ଦରିଦ୍ର ମାତର ।
ଇଂରେଜଙ୍କ ଆନୁଗତ୍ୟକୁ ସ୍ବୀକାର ,
ଶିକ୍ଷିତ ଓଡ଼ିଆ ହେଲେ ଚାଟୁକାର ।
ଅଣଓଡ଼ିଆଙ୍କ ଏଠି ପ୍ରାଦୁର୍ଭାବ,
ଓଡ଼ିଆ ନ ଜାଣି ବୋଲନ୍ତି ନବାବ ।
ଖଣିସମ୍ପଦକୁ ଶାଗ,ମାଛ ଦରେ,
ନେତା-ଅଫିସର ଲୁଟିଲେ ତତ୍ପରେ ।
ଇଂରାଜୀଭାଷାର ହୁଏ ପ୍ରଚଳନ ,
ଓଡ଼ିଆ ଭାଷାର ନାହିଁ ତ ସମ୍ମାନ ।
ବିଧାନସଭା ଓ ସର୍କାରୀଦପ୍ତରେ,
ସର୍ବତ୍ର ଇଂରାଜୀର ରାଜ ଚାଲେ ।
ଆପଣା ଭାଷା ଓ ସଂସ୍କୃତିକୁ ଛାଡ଼ି,
ପାଶ୍ଚାତ୍ୟ ଧର୍ମକୁ ଧରିଲେ ଜାବୁଡ଼ି ।
ରାଜ୍ୟାନ୍ତରେ ଭାଷା ଆଉ ଜାତିପ୍ରୀତି ,
ଏ ଉତ୍କଳେ ତାହା ବିପରୀତ ସ୍ଥିତି ।
ହେ ଉତ୍କଳ ! ତବ ଏହି କି ଦୁର୍ଦ୍ଦଶା ,
ସର୍ବତ୍ର କାହିଁକି ହୁଅ ଲୋକହସା ।
ତୁମ ଦୁର୍ଭାଗ୍ୟର କେବେ ଅବସାନ ,
ଅତୀତ ସୁନାମେ ପାଇବ ସମ୍ମାନ ।
ମଧୁବାବୁଙ୍କର ସ୍ବପ୍ନର ଉତ୍କଳ ,
ପାଲଟିଛ ଆଜି ହୋଇ ହତଶୀର ।
ଦୁର୍ନୀତି ଓ ଭ୍ରଷ୍ଟାଚାରୀଙ୍କ ଶାସନ,
ପାଉଅଛି ବହୁ ନିନ୍ଦା ଅପମାନ ।
ଅମଲତନ୍ତ୍ରୀ ଓ ନେତା-ଟାଉଟର,
ଉତ୍କଳକୁ କରୁଛନ୍ତି ଛାରଖାର ।
ପୂରୁବ ଗୌରବ ଅତୀତର ଶିରୀ,
ଏ ସବୁକୁ ଆମେ ଯାଇଛୁ ପାସୋରି ।
ବିଶ୍ବରେ ଭାରତ ରହିଅଛି ଶ୍ରେଷ୍ଠ ।
ରାଜ୍ଯଙ୍କ ମଧ୍ୟରେ ଉତ୍କଳ ଉତ୍କୃଷ୍ଟ ।
ଅତୀତ ଗୌରବେ ସଦା ସମ୍ମୁଜ୍ଜ୍ବଳ ,
ଏ ଉତ୍କଳ ଭୂମି ରହୁ ଚିରକାଳ ।
ଉତ୍କଳର ନାଥ ପ୍ରଭୁ ଜଗନ୍ନାଥ,
କରୁଅଛୁ ସର୍ବେ ଭକ୍ତି ପ୍ରଣିପାତ ।
ଏ ରାଜ୍ୟର ରିଷ୍ଟ କରିଣ ଖଣ୍ଡନ,
କର ଚିରସ୍ଥାୟୀ ଉତ୍କଳସମ୍ମାନ ।