STORYMIRROR

Debadatta Jena

Children Stories Classics Inspirational

4  

Debadatta Jena

Children Stories Classics Inspirational

ସ୍ବର୍ଗାଦପି...

ସ୍ବର୍ଗାଦପି...

2 mins
203

ଜନନୀ,ତୁ କ'ଣ ଦିନେ, ନାଁ କାଳେ, ନାଁ ଅଧେ..

ଜନ୍ମଭୂମି,ତୁ କଣ ଦଣ୍ଡେ, ଅଧେ, ନାଁ ନିତି ଦିନେ..

ତୁ ନନ୍ଦିନୀ,କଣ ହପ୍ତେ, ବାରେ,ଅବ୍ଦ ନାଁ ସବୁ ଦିନେ,

ବନ୍ଦେ, ଜନନୀ ଜନ୍ମ ଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ, ବନ୍ଦେ..!

ଧୋ ରେ ବାୟା ଧୋ କୁ ବନ୍ଦେ..ସରଗ ଶଶୀକୁ ବନ୍ଦେ,

ବାଇ ଚଢ଼େଇକୁ ବନ୍ଦେ, ତୋ ନାନା ବାୟାକୁ ବନ୍ଦେ,

ତୋ ସଂଜ ସକାଳକୁ ବନ୍ଦେ, ଭାଗବତ ଟୁଙ୍ଗିକୁ ବନ୍ଦେ,

ତୋ ସଂଜ ଦୀପାଳିକୁ ବନ୍ଦେ, ବସୁମତୀ ଗାଧୁଆ ବନ୍ଦେ,

ତୋ ଚଉରା ମୂଳକୁ ବନ୍ଦେ, ବେଲ ଗଛ ମୂଳ ବନ୍ଦେ,

ତୋ ଦାଣ୍ଡ ଦୁଆରକୁ ସାଜେ, ତୋ ମାଣ ବସା ପୂଜା ବନ୍ଦେ,

ତୋ ଗୋବର ପାଣିକୁ ବନ୍ଦେ, ତୋ ଧୂଳି ଚନ୍ଦନ ମାଟିକୁ ବନ୍ଦେ,

ବନ୍ଦେ, ଜନନୀ ଜନ୍ମ ଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ, ବନ୍ଦେ..!

ତୋ ସାହାଡ଼ା ଗଛକୁ ବନ୍ଦେ, ତୋ ଦୁବ ବରକୋଳିକୁ ବନ୍ଦେ,

ତୋ ଅଖି ମୁଠିକୁ ବନ୍ଦେ, ତୋ ଝୋଟି ଚିତା ଲତାକୁ ବନ୍ଦେ,

ତୋ ବର ଅଶ୍ୱସ୍ତ ଗଛକୁ ବନ୍ଦେ, ତୋ ଆମ୍ବ ଡାଳିଆକୁ ବନ୍ଦେ,

ତୋ ଆରିସା କାକରା ବନ୍ଦେ, ତୋ ରଜ ପୋଡ଼ ପିଠା ବନ୍ଦେ,

ତୋ ମଗୁଶିର ଚିତା ବନ୍ଦେ, ତୋ ଗହ୍ମା ଡିଆଁ ଚିତାକୁ ବନ୍ଦେ,

ତୋ ଖୁଦୁରୁକୁଣୀକୁ ବନ୍ଦେ, ତୋ ବିରି ଚାଉଳକୁ ବନ୍ଦେ,

ତୋ ମକର ଚାଉଳ ବନ୍ଦେ, ତୋ ବାଟ ଉଷା ବ୍ରତ ବନ୍ଦେ,

ତୋ ଜାଗର ରାତିକୁ ବନ୍ଦେ, ତୋ ଦ୍ବିତୟା ଓଷାକୁ ବନ୍ଦେ,

ବନ୍ଦେ, ଜନନୀ ଜନ୍ମ ଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ, ବନ୍ଦେ..!

ତୋ ଗାଇଁଠା ପିଠାକୁ ଖୋଜେ, ତୋ ବେସର ବଟାକୁ ମାଗେ,

ତୋ ଚକୁଳି ଚିଆଁକୁ ଖୋଜେ, ତୋ ପତର ପୋଡ଼ାକୁ ହେଜେ,

ତୋ ଆମ୍ବ ଆଚରକୁ ଖୋଜେ, ତୋ ଖଜା କାକରାକୁ ମାଗେ,

ତୋ ବାସି ତୋରାଣିକୁ ଖୋଜେ, ତୋ ଶାଗ ମହୁରକୁ ଲୋଭେ,

ତୋ ବଢି ଚଟଣିକୁ ଖୋଜେ, ତୋ ଶୁଖୁଆ ପୋଡାକୁ ଭଜେ,

ତୋ ମୁଢି ଚାଉଳରେ ଲାଖେ, ତୋ ଖଇ ଉଖୁଡାକୁ ଚାଖେ,

ବନ୍ଦେ, ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ, ବନ୍ଦେ..!

ମାମୁଁ ଘର ବୁଲା ମନେ ପଡେ, ଅଜା ଆଈ ମଜା ଖୋଜା ପଡେ,

ଦୁଧ ଭାତ ଖିଆ ମଜା ଲାଗେ, ତୋ ସାନ ବଡ଼ ଭାତ ମୁଁ ଭାଳେ,

ବଗୁଲା ବଗୁଲି କଥା ପଡେ, ସେ ମଣ୍ଡା ଖିଆ ଗପ କେତେ ଭଜେ,

ସେ ଦୋଳ ଯାତରା ମୁଁ ଲୋଡ଼େ, କୁନା ମୁନା ଗପ ପେଡି ଖୋଲେ,

ନଈ କୂଳ ଗାଧୁଆ ଖୋଜେ, ତୋ ବେଙ୍ଗ ବେଙ୍ଗୁଲି ଡିଆଁ ଝୁଲେ,

ବନ୍ଦେ, ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ, ବନ୍ଦେ..!

ତୋ ଲକ୍ଷ୍ମୀ ପୁରାଣ ମୁଁ ଶୁଣେ, ତୋ ଟୀକା ଗୋବିନ୍ଦକୁ ହେଯେ,

ସେ ତଅପୋଇ ଗୀତ ଶୁଣେ, ସେ ଚକୁଳିଆ ଗୀତ ମନେ ପଡେ,

ଆ କା ମା ଭୈ ମନେ ପଡେ, ତୋ ଝିଅ ବିଦା ଗୀତ ମନେ ପଡେ,

ଧାରା ଶିରାବଣ ଗୀତ ଶୁଣେ, ତୋ ଜହ୍ନ ମାମୁଁ ଗପ ଏବେ ହଜେ,

ସେ ବାଲି ଯାତରା ମନେ ପଡେ, ଚୋର କଣ୍ଟା କଢ଼ା କଥା ଭଜେ,

କଣ୍ଢେଇ ନାଚ ମୁଁ ଦେଖେ, ସେ ଦିଆସି ମାଙ୍କଡ଼ ନାଚ ଏବେ ହଜେ,

ବନ୍ଦେ, ଜନନୀ ଜନ୍ମ ଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ,ବନ୍ଦେ..!

ଘଣ୍ଟ ପଟୁଆର ନାଚ ସଜେ, ମା ମଙ୍ଗଳା କାଳେସୀ ବାଜା ବାଜେ,

ବାରୁଆଳି ନାଚ ସାଜେ, ଶବର ଶବରୁଣୀ କେତେ ରଙ୍ଗେ ନାଚେ,

ଗାଁ ବରକୋଳିକୁ ଲୋଭେ, ସେ କଣ୍ଟେଇ କୋଳି କାହିଁ ଏବେ ହଜେ,

ସେ ଚଣା ମଟରକୁ ଖୋଜେ, ବାରମଜା ଖିଆ କେତେ ମନେ ପଡେ,

ରାମ ଲୀଳା ମଜା ମନେ ପଡେ,ରାବଣ ପୋଡି ଭାରି ଭଲ ଲାଗେ,

ଗୋପାଳ ଭାଣ୍ଡକୁ ଖୋଜେ, ମଣ୍ଡା ଖିଆ ଅସୁର କଥା କେତେ ହଜେ,

ରଜ ଦୋଳିରେ କେତେ ମୁଁ ଝୁଲେ, ସେ ଚକିରୀ ଦୋଳି ମଜା ଲାଗେ,

ବନ୍ଦେ, ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ, ବନ୍ଦେ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍