ସୌର ଜଗତର ମଉଡମଣି
ସୌର ଜଗତର ମଉଡମଣି
ନମସ୍ତେ ସବିତା ପ୍ରଭୁ ଦିବାକର
ପୂଜୁଛି ତୁମ ପୟର,
ସପ୍ତ ଅର୍ଘ୍ୟ ବାଢେ ସୂର୍ଯ୍ୟ ପ୍ରଭାକର
ଘେନ ମୋର ନମସ୍କାର ।
କାଶ୍ୟପ ନନ୍ଦନ ଅଦିତୀ ତନୟ
ଆଦିତ୍ୟ ଅରୁଣ ରବି,
ଚନ୍ଦ୍ରଭାଗା ତୀର୍ଥେ କୋଣାର୍କ ମନ୍ଦିରେ
ପ୍ରତିଫଳେ ତୁମ ଛବି ।
ଭୋ ହିରଣ୍ୟଗର୍ଭା ଅର୍କ ଭାନୁ ମିତ୍ର
ଦିନକର ଛାୟା ପତି,
ନବଗ୍ରହ ରାଜା ଉଡୁ ତୁମ ଧ୍ଵଜା
ତୁମ ବିନୁ କାହିଁ ଗତି ।
ତୁମ ରଥେ ଥାଏ ବାର ଯୋଡ଼ା ଚକ
ଟାଣୁଛନ୍ତି ଘୋଡ଼ା ସାତ,
ତୁମ ପରିଧିରେ ଅନ୍ୟ ଗ୍ରହଙ୍କର
ରହିଛି ସୁଗମ ପଥ ।
ସୌର ଜଗତର ମଉଡମଣି ଗୋ
ନେତ୍ର ଅଟ ସଂସାରର,
ତବ ବିନେ ପ୍ରଭୁ ସାରା ଜଗତରେ
ଘୋଟିଯାଏ ଅନ୍ଧକାର ।
ଆକାଶ ମାର୍ଗରେ ଗଡ଼େ ତୁମ ରଥ
ଋତୁ ଚକ୍ର ବଦଳଇ,
ଗ୍ରୀଷ୍ମ ପରେ ବର୍ଷା ଶରତ ହେମନ୍ତ
ଶୀତ ବସନ୍ତ ଆସଇ ।