ସୌନ୍ଦର୍ଯ୍ୟ ଭଵନ
ସୌନ୍ଦର୍ଯ୍ୟ ଭଵନ
କେଡ଼େ ସୁନ୍ଦର ଏ ବିଶ୍ୱଭୁବନ
ସବୁଠୁଁ ସୁନ୍ଦର ଚକାନୟନ |
ପୃଥ୍ୱୀରେ ଭାରତ ବର୍ଷ ଶୋଭନ
ଭାରତେ ରମ୍ୟ ଉତ୍କଳ ଭୁବନ |
ଉତ୍କଳର ସାର ଶୋଭା ରତନ
ମର୍ତ୍ତ୍ୟ ବୈକୁଣ୍ଠ ଅମର ବନ୍ଦନ |
ଯହିଁ ନୀଳଚକ୍ରେ ଉଡ଼େ କେତନ
ନାମ ବହିଅଛି ପାପୀ ପାବନ |
ସୁନ୍ଦର ତାହାର ପରିବେଷ୍ଟନ
ମନ୍ଦିର ଚୁମ୍ବିଚି ନୀଳ ଗଗନ |
ଅଦୂରେ ସାଗର କରେ ଗର୍ଜନ
ଦେଉଳକୁ ଶ୍ରାବ୍ୟ ନୁହେଁ ସେ ସ୍ଵନ |
ସିନ୍ଧୁ ବେଳାଭୂମି ଶୋଭା ସଦନ
ଉଲ୍ଲସି ଉଠଇ ଦର୍ଶକ ମନ |
ପୂର୍ଣିମାରେ ସିନ୍ଧୁ କରେ ନର୍ତ୍ତନ
ଉତ୍ତାଳ ଲହରୀ ହୁଏ ଉତ୍ପନ୍ନ |
ଚନ୍ଦ୍ରିକାଚର୍ଚ୍ଚିତ ନିଶି ଶୋଭନ
ଶ୍ରୀକ୍ଷେତ୍ର ବୈଚିତ୍ର୍ୟ ବିଶ୍ୱ ବନ୍ଦନ |
ବିଚିତ୍ରକର୍ମାର ବିଚିତ୍ରାୟନ
ପତାକା ଛାଇ ନପଡେ ନିମନ |
ପବନର ବିପରୀତେ ଉଡ଼ନ
ହେଉଥାଏ ନୀଳଚକ୍ରେ କେତନ |
ନୀଳ ଚକ୍ର କଲେ ଅବଲୋକନ
ଦୂରୁ ପାରୁଶରୁ ସମ ଦର୍ଶନ |
ଦେଉଳ ଉପରେ ବିହଗ ଗଣ
ଉଡ଼ନ୍ତି ନାହିଁ ଏତ ବିଡ଼ମ୍ବନ |
ବ୍ୟୋମଯାନ କରେ ନାହିଁ ଗମନ
ଆଲୋକର ଉତ୍ସ ଚୁମ୍ବେ ଗଗନ |
ଯେବେ ସୌନ୍ଦର୍ଯ୍ୟ ଆହରଣେ ମନ
କ୍ଷେତ୍ରବର ପୁରୀ କର ଦର୍ଶନ |
