ସୈନିକ
ସୈନିକ
ରକ୍ତିମ ପଥର ନିଃସର୍ତ୍ତ ପଥିକ
ପାଦେ ପାଦେ ଲହୁ ଧାର
ସ୍ୱଦେଶ ପ୍ରୀତିର ଘେନି ଭାବାବେଗ
ଏ କି ଆଲୋଡନ ତୋର ?
ମାଟିର ସୁରକ୍ଷା ତାର ଅଖଣ୍ଡତା
ସଂକଳ୍ପରେ ବାନ୍ଧି ହୋଇ
ଗୋଳା ବାରୁଦର ଆଶ୍ରାବ୍ୟ ଶବ୍ଦରେ
ଛାତି କି ତୋ ଥରେ ନାହିଁ ?
ଗ୍ରୀଷ୍ମରେ ବର୍ଷାରେ ଶୀତ ଶରତରେ
ଅଭେଦ୍ୟ ପ୍ରାଚୀର ସାଜି
ଜନ୍ମଭୂମି ଋଣ ସୁଝିବାର ଲାଗି
ଜୀବନ ରଖିଲୁ ବାଜି ?
ଘରରୁ ଦୂରରେ ଦୂର ସୀମାନ୍ତରେ
କର୍ତ୍ତବ୍ୟରେ ସମର୍ପିତ
ପଡେନି କି ମନେ ପରିବାର କଥା
ହୁଅନି କି ଆତଙ୍କିତ ?
ପ୍ରେମ ଅର୍ଥ ଦେଶ ପ୍ରୀତି ଅର୍ଥ ଦେଶ
ପ୍ରଣୟ ବି ଦେଶ ସଙ୍ଗେ
ଦେଶର ସଂହିତା ସର୍ବୋଚ୍ଚ ତୋ ଲାଗି
ଗଢ଼ା ତୁ କେଉଁ ଢଙ୍ଗେ ?
ବିଷମ ସ୍ଥିତିରେ ପରାଜୟ ମୁହେଁ
ପଛଘୁଞ୍ଚା ଜମା ନାହିଁ
ତ୍ରିରଙ୍ଗାରେ ନିଜେ ଗୁଡେଇ ହେବାକୁ
ଏତେ ବ୍ୟଗ୍ର କାହିଁ ପାଇଁ ?
ଜୀବିକା ଆଧାର ଜମା ନୁହେଁ ତୋର
ଏ ଦୁର୍ଲ୍ଲଭ ଦେଶପ୍ରେମ
ପାଗଳାମି ନା ଏ ଶୋର୍ଯ୍ୟ ଅଟେ ତୋର
ଦେବି ୟାର ମୁଁ କି ନାମ ?