ସାଥୀହୋଇ ଆଗଭଳି
ସାଥୀହୋଇ ଆଗଭଳି
ଗୋଟେ ବିଦ୍ୟାଳୟେ ପଢ଼ୁଥିଲୁ ଦୁହେଁ
ଲିପିକା ଓ ନିରୁପମା ,
ଦୁହିଁଙ୍କ ଭିତରେ ଭାରି ଭାବ ଥିଲା
କଳି କରିନାହୁଁ ଜମା ।
ଦୁଇଜଣଙ୍କର ବାପା ବି ଶିକ୍ଷକ
ସେହି ବିଦ୍ୟା-ଆଳୟରେ ,
ତେଣୁକରି ଆମେ ସାଥୀହୋଇ ପଢୁ
ଖେଳୁ ମଧ୍ୟ ଆନନ୍ଦରେ ।
ପୋଖରୀ ତୁଠକୁ ଧାଇଁ ଯାଉ କେବେ
ଗାଧୋଉ ସତର୍କ ହୋଇ ,
ନିମ ଅଠା ଆଉ ଦାନ୍ତକାଠି ଆଣୁ
ଆମ ବ୍ୟବହାର ପାଇଁ ।
ସାଥୀ ହୋଇ ଖାଉ ସାଥୀ ହୋଇ ଶୋଉ
ଭୁଲୁନା କାହାକୁ କେହି ,
ଦୁନିଆ ଯାକର ଆଲୋଚନା କରୁ
ସାବଧାନ ପୂରା ହୋଇ ।
ହେଲା ଦିନେ ତା'ର ଦାଦା ବାହାଘର
ବାପାଙ୍କ ସହିତ ଗଲି ,
ଦେଖିଲି କୁଣିଆପିଲାଙ୍କ ସହିତ
ନାଚୁଛି କୁଦୁଛି ଖାଲି ।
ମୋତେ ଦେଖି ଟିକେ ଚାହିଁଲା ସିନା ସେ
ପାଶକୁ ଆସିଲା ନାହିଁ ,
ଅଚାନକ ତେଣୁ ମନ ମରିଗଲା
ଭୋଜି ବି ରୁଚିଲା ନାହିଁ ।
ବର ବଧୂ ଦେଖି ବାହୁଡ଼ିଲୁ ଯେବେ
ସେବେଳେ ବି ଖେଳୁଥିଲା ,
ମୋତେ ଦେଖି କିଆଁ ପାଶେ ମିଳିଲାନି
ମନ ବିଚଳିତ ହେଲା ।
ଅନ୍ୟପିଲା ମୋତେ ଉସୁକାଇଲେ ତା'
ବିରୋଧରେ କଥା କହି ,
ସେ କଥାକୁ ଶୁଣି ନ ଶୁଣିଲାଭଳି
ରହିଲି ନିରବ ହୋଇ ।
ପରେ ଲିପିକାକୁ ଅନ୍ୟ ସାଙ୍ଗ ଯେବେ
ପଚାରିଲେ ଏଇ କଥା ,
କହିଲା-"ମୁଁ ପରା ଭୁଲି ଯାଇଥିଲି
ପାଛୋଟି ଆଣିବା ପ୍ରଥା ।
ଦେଖି ଏତେ ନୂଆ କୁଣିଆମାନଙ୍କୁ
ଖୁସିରେ ମୁଁ ବୁଲୁଥିଲି ,
ତୋ ସାଥିରେ ଆସି କଥା ହେବାପାଇଁ
ଯାଇଥିଲି ପୂରା ଭୁଲି ।"
ମନଦୁଃଖ କଥା ମନେ ଚାପିରଖି
କହିଲି-"ଖେଳିବା ଆ..ଆ ,
ତୁ ହେଉଛୁ ମୋର ଅତିପ୍ରିୟ ସାଙ୍ଗ
କଥା ମନେରଖିଥାଆ ।"
ତା'ପରେ ଖେଳିଲୁ ,ପଢ଼ିଲୁ ,ବୁଲିଲୁ
ସାଥୀହୋଇ ଆଗଭଳି ,
ଲଗାଇପାରିଲେ ନାହିଁ ଅନ୍ୟପିଲା
ଆମରି ଭିତରେ କଳି ।