ସାଥି ତୁମେ ମୋର
ସାଥି ତୁମେ ମୋର
1 min
447
ସାଥି,ତୁମେ ସତେ
ନୁହଁ ଦାସତ୍ୱର ଦାସୀ ,
ଶ୍ରଦ୍ଧାରେ ଶ୍ରଦ୍ଧାରେ
କମନୀୟ ରୂପ ନେଇ ।
ଜଲ୍ହାଦ ଜର୍ଜର
କ୍ଷୀପ୍ର କ୍ଷେପଣାସ୍ତ୍ର ଏଇ ,
ସମାଜ ବୁକୁରେ
ବହିଯାଅ ଗଙ୍ଗା ହୋଇ ।।
ସାଥି,ତୁମେ ମୋର
ଶୂନ୍ୟ ମନ ତେଜସ୍ୱିନୀ ,
ନର୍କ ଦେହେ ମୋର
ଅର୍କ କୋଣାରକ ସାଜି ।
ପୁଣ୍ୟରେ ପୁଣ୍ୟରେ
ପବିତ୍ର ପ୍ଲାବନୀ ପରି,
ଧୋଇଦିଅ ମୋର
ଜୀବନର ପାପ ରାଜି ।।
ସାଥି,ତୁମେ ନୁହଁ
ଛଳନାର ଗନ୍ତାଘର ,
ପ୍ରତାରଣା,ପାପ
ତୁମ ସତ୍ୟତାକୁ ଡରେ ।
ସନ୍ତର୍ପଣେ ମିଛ
ତୁମ ଅଗଣାକୁ ଛୁଇଁ ,
ଅବିରତେ ତୁମ
ଆଗରୁ ଦୂରେଇ ଯାଏ ।।
ସାଥି ଗୋ,ତୁମେ ତ
ମୋ'ଜୀବନ ସଂଘମିତ୍ରା ,
ମୁଁ ନୁହେଁ ଅଶୋକ
ଚଣ୍ଡାଳ ମୁଁ ,ଚଣ୍ଡାଶୋକ ।
ତଥାପି କାହିଁକି
ଆସିଲ ଏ ମୋ'ଜୀବନେ ,
ଢାଳି ଦେଇଗଲ
ଦୁର୍ଲଭ ଦିବ୍ୟାଲୋକ !!
ସାଥି,ତୁମେ ମୋର
ନବାଗତ ପରମ୍ପରା ,
ଯେଉଁଠାରେ ନାହିଁ
ଅନ୍ଧତ୍ୱ,ଅହଂ, କାର୍ପଣ୍ୟ ।
ଭ୍ରଷ୍ଟାଚାର ନୁହେଁ
ଶିଷ୍ଟାଚାର ମହକରେ ,
ଚିତ୍ରଲିପି ଆଙ୍କେ
ତୁମରି ଦିବ୍ୟ ଦର୍ପଣ ।।
ବଦାନ୍ୟତା ବଂଶୀ
ବ୍ରହ୍ମତ୍ୱ ବୀର୍ଯ୍ୟରେ ତୁମ ,
ଅଙ୍ଗ ଅଙ୍ଗ ଆଉ
ଆତ୍ମା ଆତ୍ମକଥା କୁହେ ।
ଗର୍ବ ଖର୍ବ ହୁଏ
ତୁମ ସଂଭ୍ରମତା ଆଗେ ,
କ୍ରୋଧି ବିଶ୍ଵାମିତ୍ର
ମଥା ନଇଁ କ୍ଷମା ଚାହେଁ ।।
ସାଥି,ତୁମେ ବନ୍ଧୁ
ତୁମେ ସଖା ସହୋଦର ,
ତୁମେ ପ୍ରୀତି, ନୀତି
ତୁମେ ମୃଦୁ ମନ୍ଦୋଦରୀ ।
ପ୍ରଣୟ ଗର୍ଭର
ତୁମେ ଧୀର ବସୁନ୍ଧରା ,
ରୀତିରେ ରୀତିରେ
ହେଲି ମୁଁ ତୁମ ପୂଜାରୀ ।।
ଶପଥ ନେଉଛି
ଇହ ପର କାଳ ପାଇଁ ,
ସତ୍ୟରେ ବଞ୍ଚିବି
ତୁମରି କଳ୍ପିତ କୋଳେ ।
ମିଥ୍ୟା ଓ ଛଳନା
ଯଦି କରେ ଆକ୍ରମଣ ,
ଧୋଇ ମୁଁ ବଞ୍ଚିବି
ଅନୁତପ୍ତ ଅଶ୍ରୁ ଜଳେ ।।
