STORYMIRROR

Padmalaya Mishra

Others

4  

Padmalaya Mishra

Others

ସାଙ୍ଗ

ସାଙ୍ଗ

2 mins
394

ମୋ ଉପରେ ହସେ

ପୁଣି ମତେ ହସାଏ

ମୋ ସ୍ଵପ୍ନର ବେଲୁନରେ ନିଆଁ ଦେଇ

ଦୂର ଆକାଶକୁ ଉଡାଏ

ବୋଳୁଥାଏ ମୋ ମନରେ ବିଭିନ୍ନ ରଙ୍ଗ

ସେଇତ ମୋ ସାଙ୍ଗ ।।


ସ୍କୁଲରେ ସାରଙ୍କ ମାଡରୁ କେବେ ବଞ୍ଚାଏ

ପୁଣି ନିଜେ ହୋମଓ୍ଵାର୍କ ନକରି 

ମୋ ଖାତାକୁ ନିଜର କହି

ମତେ ମାଡ଼ ଖୁଆଏ

ମୋ କାନ୍ଦ ଦେଖି ଗୀତ ଗାଏ, ମତେ ହସାଏ

ବେପରୁଆ ସଦା ଯିଏ ବେଢଙ୍ଗ

ସେଇତ ମୋ ସାଙ୍ଗ ।।


ପରୀକ୍ଷା ପୂର୍ବରୁ ମତେ ପଢାରୁ ଉଠେଇ

ଖେଳିବାକୁ ନିଏ

ଗାଳି ପଡିଲେ ଦୋଷ ମୋ ଉପରେ ଲଦି ଦିଏ

ପରୀକ୍ଷା ହଲରେ ମୋ ଖାତା ଉପରେ ନଜର ଥାଏ

ମୁଁ ଉତ୍ତର ନଦେଖେଇଲେ ମୁହଁ ଫୁଲାଏ

କିନ୍ତୁ ତା ଉତ୍ତର ଖାତା ମତେ ଦେଖାଏ

ପଢାରେ ଯାହା ହେଉ

ରହେ ବିନ୍ଦାସ୍ ଜୀବନ ସଙ୍ଗ

ସେଇତ ମୋ ସାଙ୍ଗ ।।


ସ୍କୁଲ୍ ଦିନ ଗଲା କଲେଜ ଆସିଲା

ମୁଁ ସାଇନ୍ସରେ ପଢିଲି ସେ ଆର୍ଟସରେ ରହିଲା

ସବୁବେଳେ ତା ପଢା ଛାଡି ମୋ ପାଖେ ବସିଲା

ପାଠରେ ମନ ଦେଉନି ବୋଲି 

ମୋ ଠାରୁ ପ୍ରାୟ ଗାଳି ଖାଇଲା 

ଶେଷରେ ଫେଲ୍ ହୋଇ ପଢାରେ ଡୋର ବାନ୍ଧିଲା

ତଥାପି ବଦଳିଲାନି ତା ଢଙ୍ଗ

ସେଇତ ମୋ ସାଙ୍ଗ ।।


ମୁଁ ଆଗକୁ ପଢି ଆଗେଇ ଚାଲିଲି

ସେ ଢେର ପଛରେ ରହିଗଲା

ମୁଁ ତାକୁ ଭୁଲିଗଲି ପଛେ

ସେ ମତେ ଭୁଲି ନପାରିଲା

ମୋ ପାଇଁ ସର୍ବଦା ଶୁଭ ମନାସୁଥିଲା

ଧରି ସାରିଥିଲା ପଛେ ବୈବାହିକ ସଂସାର ମଙ୍ଗ

ସେଇତ ମୋ ସାଙ୍ଗ ।।


ମୋ ସଫଳତାରେ ତାର ଅଦୃଶ୍ୟ ଯୋଗଦାନ

ମୋ ଉନ୍ନତି ଓ କୁଶଳତା ମାଗେ ଭଗବାନ

ମୁଁ ଆକାଶରେ ଉଡୁଥିଲି

ସେ ଭୂଇଁରେ ଥିଲା

ତା ଦୁଃଖରୁ ଅନଭିଜ୍ଞ ଥିଲି

ମୋ ଖୁସିରେ ସେ ଖୁସି ହେଉଥିଲା

ଛୋଟ ଓ ରଙ୍ଗୀନ୍ ଥିଲା ତା ସ୍ଵପ୍ନ ତରଙ୍ଗ

ସେଇତ ମୋ ସାଙ୍ଗ ।।


ମୁଁ ଏସି କାରରେ ବୁଲୁଥିଲି

ସେ ଅଟୋ ଚଲେଇ ଘର ଚଳଉଥିଲା

ଅଭାବ ଅସୁବିଧାରେ ବି ମତେ ନକହିଲା

ଦିନେ ମୋ କାର୍ ବାଟରେ ବନ୍ଦ ପଡିଲା

ତା ଅଟୋରେ ମତେ ବସେଇଲା

ତଥାପି ପରିଚୟ ନଦେଲା

ଟିକେ ବି ଉଠେଇଲାନି ଆମ ବନ୍ଧୁତା ପ୍ରସଙ୍ଗ

ସେଇତ ମୋ ସାଙ୍ଗ ।।


ସବୁ ଆଚିଭ୍ କଲା ପରେ ସ୍ମୃତି ଦରାଣ୍ଡିଲି

ନିଜ ଏକୁଟିଆ ପଣ ଦୁରେଇ ସାଙ୍ଗଙ୍କୁ ଖୋଜିଲି

କେତେ ଉପରକୁ ଉଠି ଯାଇଥିଲେ

କେତେ ତଳେ ରହି ଯାଇଥିଲେ

ମୋ ପରି ସମସ୍ତେ ସାଙ୍ଗକୁ ଖୋଜୁଥିଲେ

ପରସ୍ପରକୁ ଭେଟି ଖେଳିଲା ଖୁସି ଉମଙ୍ଗ

ମିଶିଗଲୁ ସବୁ ସାଙ୍ଗ ।।


ମୋ ଆଖି ଖୋଜୁଥିଲା ଜଣକୁ

ଅତୀତ ହୋଇଥିବା କ୍ଷଣକୁ

ମନେ ପଡୁଥିଲା ଆମ ଦୁଷ୍ଟାମୀ

ଏକାଠି ଖେଳ ଆଉ ପାଗଳାମୀ

ଭେଟିଲା ପରେ ଉଭୟେ ଭିଜିଲୁ ଲୋତକେ

ଗପିଗଲୁ ପିଲାଦିନ କଥା ଅନେକେ

ଦେଖାଇଲା ସାଇତା ପିଲାଦିନର ସ୍ମୃତି

ଅଳ୍ପକେ ଖୁସି ତା ଜୀବନ ଗତି

ଭାରି ସ୍ଵାଭିମାନୀ ଥିଲା

ମୋ ସାହାଯ୍ୟ ନେବାକୁ ହେଲା ଅମଙ୍ଗ

ସେଇତ ମୋ ସାଙ୍ଗ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍