ସାନ୍ଧ୍ୟ ଭ୍ରମଣ
ସାନ୍ଧ୍ୟ ଭ୍ରମଣ
ସୂରୁଜର ଅସ୍ତ ଆସେତ ରଜନୀ
ବିଛାଏ କଳା ଚାଦର
ଧୀରେଧୀରେ ନିଶି ହୁଅଇ ପ୍ରବେଶି
ସତର୍କ ସାରା ସଂସାର।
ନିଶି ଆଗମନେ ଚାଷୀଭାଇ ପରା
ଫେରଇ ବିଲରୁ ଖଟି
ଚାଷ ସରଞ୍ଜାମ ସାଥେ ଧରି ସିଏ
ବଳଦେ ହୁଅନ୍ତି ଆଣ୍ଟି।
ସଞ୍ଜବତୀଟିଏ ଧରି କୁଲବଧୂ
ଚଉରା ମୂଳରେ ଥୋଇ
ମୁଣ୍ଡରେ ଓଢଣା ବେକେ ଲୁଗାକାନି
ଓଳଗି ହୁଅଇ ସେହି।
ଦିବସର ଅନ୍ତ ରାତ୍ରିର ଆରମ୍ଭ
ସଂନ୍ଧ୍ୟା ହୁଏ ମଧ୍ଯବର୍ତ୍ତି
ଭ୍ରମଣ ପାଇଁତ ଉତ୍କୃଷ୍ଟ ଅଟଇ
ସମୟଟା ଥାଏ ବ୍ରତ୍ତି।
ଆକାଶରେ ଜହ୍ନ ଉହୁଙ୍କି ଉଠଇ
ଫେରନ୍ତି ଘରକୁ ଜନେ
ରଙ୍ଗବେରଙ୍ଗର ଆଲୋକ ମାଳାରେ
ସଜାଇ ହୁଅନ୍ତି ଯେହ୍ନେ।
ପଥ ଧାରେଧାରେ ବିପଣୀର ମାଳା
ସଜେଇ ହୁଅନ୍ତି ପରା
ଆଲୋକ ମାଳାରେ ଦିଶଇ ସୁନ୍ଦର
ସମାଗମ ଗ୍ରାହକର।
ସଂନ୍ଧ୍ୟାର ଭ୍ରମଣ ଦିଅଇ ଆନନ୍ଦ
ଶରୀର ତ ଶିହରଇ
ମୃଦୁ ଗୀତସ୍ବର କାନରେ ବାଜଇ
ଭ୍ରମଣ ରୋଚକ ହୋଇ।
କ୍ଲାନ୍ତ ହୋଇ ଯେବେ ବିରସ ମନରେ
ଘରକୁ ତ ଫେରୁଥାଇ
ସଞ୍ଜରେ ବୁଲିବା ଦୂର ହୁଏ କଷ୍ଟ
ଗପସପେ ମିଳିଯାଇ।
ନିରୋଳା ମୂହୁର୍ତ୍ତେ ତାରାର ଗହଣେ
ଚାଲିଚାଲି ଗଲାବେଳେ
ସୁଲୁସୁଲୁ ବାଆ ଛୁଇଁଯାଏ ତନୁ
ଆଖିର ସପନ ଖେଳେ।
ସାନ୍ଧ୍ୟ ଭ୍ରମଣ ଯେ ଉତଫୁଲିତ କରେ
ଫେରିଆସ କର୍ମକ୍ଷେତ୍ରୃ
ବୁଲିଆସ ଘେରେ ଦେହକୁ ସୁହାଇ
ବ୍ଯାଧି ହୋଇଯିବ ଶତ୍ରୁ ।