STORYMIRROR

Biswanath Nayak

Others

3  

Biswanath Nayak

Others

ସାଗର

ସାଗର

1 min
303


ନୀଳ ବିଚିମାଳା

ଥିରି ଥିରି ପାଦେ

ଯାଏ ଆସି ମୋତେ ଛୁଇଁ,

ବହେ ଚଇତାଳି

ରୋମାଞ୍ଚିତ ହୁଏ

ଜୀବନର ବେଳାଭୂଇଁ। 


ଇଚ୍ଛା ହୁଏ କେତେ

ନିଅନ୍ତାନି ସତେ

ତା' କୋଳେ ମୋତେ କୋଳେଇ,

ସୁନୀଳ ସାଗର

ନୀଳ ନିରବତା

ଆକଣ୍ଠ ଯାଆନ୍ତି ପିଇ। 


ତା ହୃଦ କପାଟ

ଖୋଲି ମୁଁ ଗୋଟାନ୍ତି

ଆଞ୍ଜୁଳା ଆଞ୍ଜୁଳା ମୋତି,

ଶୂନ୍ୟତାର ଭାଷା

ବୁଝି ମୁଁ ଗାଆନ୍ତି

ଜୀବନର ପ୍ରେମ ଗୀତି। 


ତା ଲବଣ ଜଳ

ଏତେ ଯେ ଉଦାର

ଏକଥା ନଥିଲି ଜାଣି,

କେତେ ଆଶା ବୋଳା

ସୁନେଲି ସପନ

ସଜେଇ ରଖିଛି ଆଣି !


ତୀରେ ଲାଗୁଥିଲା

ଏତେ ଯେ ଅଶାନ୍ତ

ଏତେ ଶାନ୍ତ ସତେ ସିଏ,

ତା' ହୃଦେ ବିରାଜେ

ପ୍ରଶାନ୍ତି ନିଳୟ

ଖୋଜେ ଯିଏ ପାଏ ସିଏ। 


ମଣିଷ ଜୀବନ

ସାଗର ପରାୟେ

ଲାଗେ ଅଶାନ୍ତ ଅସ୍ଥିର,

ତା ' ହୃଦ କନ୍ଦରେ

ବିଭୁ ବିରାଜିତ

କେତେ ଶାନ୍ତ ଓ ସୁନ୍ଦର!


ସୁଖ ଓ ଦୁଃଖର

ଲହଡ଼ି ସେପାଖେ

ଜୀବନଟା ଶାନ୍ତ , ସ୍ଥିର,

ପ୍ରତୀକ୍ଷା କରିଛି

ଶାନ୍ତି ସଞ୍ଜିବନୀ

ମରଣକୁ କିବା ଡର ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍