ସାଧବ ବୋହୂ
ସାଧବ ବୋହୂ
ହେ ପ୍ରିୟ ସାଧବ ପୁଅ ହେ ମୋର...
ମୁଁ ଜାଣିଛି...
ତୁମେ ମଣିମୁକ୍ତା ର ପସରା ମେଲି..
ବେପାର କରି ଯାଇନ ବୋଇତ ଚଢି..
ପେଟ ପାଟଣା ପାଇଁ ତୁମେ ଯେ ଯାଇଛ ଦାଦନ ଖଟି
ଆସାମ, ଚେନ୍ନାଇ, ତିରୁପତି.. ା
ହେଲେ...ହେ ନିଷ୍ଠୁର ପ୍ରିୟତମ ମୋର...
ଯାଇଛ, ଯେ ଯାଇଛ.. ଫୋନ୍ ନାହିଁ କି ମେସେଜ୍ ନାହିଁ,
ସତେ..?ଭୁଲିଗଲ କି ତୁମର ଏ ସାଧବ ବୋହୂ କୁ..,
ଯା ହାତ ଧରି ପ୍ରତିଞା କରିଥିଲ ଅଗ୍ନି ଙ୍କୁ ସାକ୍ଷୀ ରଖି,
ମୁଁ ତୁମ ସହକର୍ମିଣୀ,ସହଯାତ୍ରୀଣୀ, ସହଭାଗିନୀ ବୋଲି,
ତୁମ ପାଇଁ ପରା ଛାଡିଥିଲି ମା..ପିତା ଘର..
ଭରିଲି ସିନ୍ଥି ରେ ବିଶ୍ବାସ ର ନାଲି ରଙ୍ଗ..
ଆଖି ରେ ନାଇଲି ପ୍ରେମ ର କଜ୍ଜଳ...
ଛାତି ରେ ଛାତିଏ ପୁଲକ ଭରି..
ହୋମ କୁଣ୍ଡେ ଜାଳିଦେଲି କୁଆଁରୀ ସପନ ା
ଏତେ ତ୍ୟାଗ, ବିଶ୍ବାସ ପରେ ବି...
ତୁମେ ବିଦେଶ କୁ ଯାଇ ମୋତେ ଭୁଲିଗଲ..?
ଭୁଲି ପାରିଲ..? ?
ହେଲେ... ମୁଁ..
ଏଠି ପାଗଳିନୀ ହୁଏ ତୁମ ବିରହ ରେ..
ନିତି ନିଶାର୍ଦ୍ଧ ରେ ଆନମନା ହୁଏଁ ନିଶିଗନ୍ଧା ର ମହକରେ,
ଆମ ସ୍ମୃତି ର ଫୁଲ ରେ ହାର ଗୁନ୍ଥି ଅଭିସାରିକା ସାଜେ,
ପ୍ରତି ବିନିନ୍ଦ୍ର ରଜନୀ ର ଖୋଲା ଆଖିପତା ତଳେ..
ଭିଡ ଜମାନ୍ତି ରଙ୍ଗୀନ ସ୍ବପ୍ନ ମାନେ...
ଆବୋରି ବସନ୍ତି ତୁମ ସାଧବ ବୋହୁ ର ..ଦେହ,ମନ,ଯଉବନ..
ତୁମ ବିରହ ରେ ଜିଅନ୍ତା ଶବ ପାଲଟି ଥିବା ଦେହରେ..ଚେତନା ଜାଗେ..
ସପନ ର ମିଛ ପରଶ ରେ ହେଉ ପଛେ..
ମୋ ଦେହ ରେ ଶିହରଣ ଖେଳେ..,
ହ୍ରୁଦୟ ର ବନ୍ଦ କୋଠରି ଭିତରୁ ଫିଟି ଆସନ୍ତି ..
ଅନାବନା ଇଚ୍ଛାସବୁ ଆଦିମତା ର ଡେଣା ମେଲାଇ..,
ମୁକୁଳା ରାତିର ଛାତି ରେ ମୁଣ୍ଡ ରଖି ନିରବତା କଥାକୁହେ,
ସାଧବ ପୁଅ,ବୋହୁ କଥା..ପ୍ରେମ ପ୍ରଣୟ ର ଗାଥା..
ବିରହ, ବିଚ୍ଛେଦ ର ବ୍ୟଥା.. ା
ସପନ ର ନିବିଡ ଆଶ୍ଲେଷ ରେ ହଜିଯାଇ..,
ତୁମକୁ ଅନୁଭବ କରୁ କରୁ..,
ସକାଳ ହୁଏ ମନ୍ଦିର ର ଘଣ୍ଟା ଧ୍ବନି ରେ..,
ଅଧାଦେଖା ସ୍ବପ୍ନ ସହିତ ଉଭେଇ ଯାଅ ତୁମେ..,
ଇଚ୍ଛା ସବୁ ଜାକିଜୁକି ହୋଇ ପୁଣି ଫେରିଯାନ୍ତି..
ହ୍ରୁଦୟ ର ନିବୁଜ କୋଠରି ଭିତର କୁ ା
ଝରା ଶେଫାଳି ପରି ସକାଳ ରେ ଝରି ପଡୁଥିବା-
ସ୍ମୃତି ର ଫୁଲ ଗୁଡିକୁ ସାଉଣ୍ଟି ମନ ର ସିନ୍ଦୁକ ରେ ସଯତ୍ନେ ସାଇତି..
ମୁଁ ଉଠିଯାଏଁ......
ରାତିସାରା ତୁମେ ମୟ ହୋଇଯାଇଥିବା ମନ ଟାକୁ ଝାଡିଦେଇ..,
ମୁଁ ପୁଣି ସେଇ ମୁଁ ହୋଇଯାଏଁ...
ବିରହିଣୀ ସାଧବ ବୋହୂ ର ଜିଅନ୍ତା ଶବ ଟିଏ ା
***********************************
ଆହ୍ଲାଦିନୀ ପାଣିଗ୍ରାହୀ ଦାଶ ା
ସଇଁତଲା, ବଲାଙ୍ଗୀର ା
********************
