STORYMIRROR

Shashanka sekhar Ray

Others

3  

Shashanka sekhar Ray

Others

ସାଧାକାଗଜ

ସାଧାକାଗଜ

1 min
273

ସଫେଦ କାଗଜ ଦେଖିଲେ 

ଭାରି ଇଚ୍ଛା ହୁଏ କିଛି ଲେଖିଦେବାକୁ

କଣ ବା ଲେଖିବି ମୁଁ ଆଉ

ସୁଖ ଦୁଃଖ ନା ପାପ ପୂଣ୍ୟର କାହାଣୀ 

ଶବ୍ଦମାନେ କଅଁଳା ବାଛୁରୀ ପରି ଦଉଡୁଛନ୍ତି

ପଘା ଛିଡାଇ ମୋ କଲମର ଖୁଣ୍ଟରୁ

ଶବ୍ଦମାନଙ୍କୁ ଲହୁଲୁହାଣ କରିବାକୁ ହୁଏ ମୋତେ

ବାରମ୍ବାର ବିବେକର ନୀଳ ଶ୍ୟାହିରେ ।


ପୃଷ୍ଠା ପରେ ପୃଷ୍ଠା ଲେଖିବାକୁ 

ଇଚ୍ଛା ଥିଲେ ବି କାହିଁକି କେଜାଣି

ଲେଖିହୁଏନି ସରିଯାଏ କଲମରୁ ଶ୍ୟାହି

ଧରାଦେଇଥିବା ଶବ୍ଦସବୁ ଉଡିଯାନ୍ତି ଆକାଶକୁ 

ନିଜର ସତ୍ତା ହଜାଇ ପ୍ରତିକ୍ଷଣେ

ଅଙ୍କା ବଙ୍କା ଅକ୍ଷର ସବୁ ମୋଡିମାଡି

ମୁହଁମାଡି ଘାଲେଇ ଶୋଇବାର 

ଅଭିନୟ କରନ୍ତି କାଗଜର ସଫେଦ ବିଛଣାରେ ।


ଅଦରକାରୀ ରଦିଆ ରଫ୍ ଖାତା ଗୁଡିକୁ

ସଫା କରିଦିଏ 

କବାଡିଆ ହାତେ ଟେକି 

ଆଲମାରୀର ଥାକ ସବୁ ହାଲୁକା ଲାଗେ

ଆନନ୍ଦେ ଉଠେ ମୁଁ କୁରୁଳି

ଅପେକ୍ଷା କରିଥାଏ ନୂଆ କାଗଜଦିସ୍ତାଟିଏ 

ଆସିବାଯାଏଁ ବଜାରରୁ 

ଚାତକ ଭଳି ଚାହିଁରହିଥାଏ 

ମୋ ଶ୍ୟାହି ଭର୍ତ୍ତି କଲମ 

ଜନ୍ମ ଜନ୍ମାନ୍ତର ଯାଏଁ ସେମିତି ।


କାଗଜରୁ ସବୁ ଅକ୍ଷର ମାଟିରେ ଝଡିପଡନ୍ତି

ସମୟ ଉଡାଇନିଏ ପକ୍ଷୀରାଜ ଘୋଡାରେ

ଆକାଶର ଅନେକ ଉଚ୍ଚକୁ

ପାପ ପୂଣ୍ୟର ଅଙ୍କ କଷି 

ପୁଣି ଛାଡିଦିଏ ସ୍ୟାହୀ ଭରା କଲମ ପାଶେ

ଲେଖିବାକୁ ଅଧା ରହିଯାଇଥିବା ମହାକାବ୍ୟ 

ସାରିବାକୁ

ସାଧା କାଗଜର ମୁଲାୟମ ଛାତିରେ 

ସାରିବାକୁ ହେବ ପାହିଯାଉ ପଛେ ଯେତେ ରାତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍