ସାବିତ୍ରୀ ବ୍ରତ
ସାବିତ୍ରୀ ବ୍ରତ
ହେ ଯମରାଜ....
ବୃଥା ଆସ୍ଫାଳନ କରି ଆସ କିମ୍ପା ମର୍ତ୍ତ୍ଯଧାମକୁ ?
ତୁମ୍ଭ ଦୁସ୍ଥ ମଇଁଷି ପୃଷ୍ଠରେ...
ଜାଣିନ କି ???
ପୂତା ପବିତ୍ରା ସାବିତ୍ରୀମାନେ
ଅଣ୍ଟାଭିଡି ଚାହିଁରହିଛନ୍ତି
କରିବାକୁ ତୁମ୍ଭ ସାଥେ ମାନସିକ ଯୁଦ୍ଧ।
ତୁମେ ପ୍ରାୟ ଦେଖିନ ତାଙ୍କ ଚକ୍ଷୁର ସ୍ଫୁଲିଙ୍ଗ
ମନର ଉଦ୍ଦାମ ତରଙ୍ଗ
ହୃଦୟର ପ୍ରେମ
ନିଷ୍ଠା,ତ୍ୟାଗ ଭଲପାଇବାରେ
ସେମାନେ କେତେ ସ୍ଥିତପ୍ରଜ୍ଞ !
ସର୍ବସ୍ୱ ତ୍ୟାଗ କରି ତୁମ୍ଭ ସାଥେ କରିବେ ଲଢେଇ
ଲଜ୍ଜାଜର୍ଜରିତ ମଥାନତ କରି
ସାଜିବ ଯେ ପଳାୟନ ପନ୍ଥୀ।
ବିସ୍ମରଣ ହୋଇଛି କି ଅତୀତର ଇତିହାସ
ଉନ୍ମୋଚନ କର ପୁରାଣ,ମହାଭାରତ ଆଉ ରାମାୟଣ ପୃଷ୍ଠା
ଦୋଳାୟମାନ ହେବ ତୁମ ବକ୍ଷ
ବିଗଳିତ ହେବ ଅଶ୍ରୁ
ଲୋଟିଯିବ ତୁମ ମଥା
ତାଙ୍କ ପାଦ ପଦ୍ମରେ।
ହେଲେ କାନ୍ଦଲାଗେ ଆଜିର ସାବିତ୍ରୀଙ୍କୁ ଦେଖି
ଭୁଲିଯାଇଛନ୍ତି ସତ୍ୟବାନର ଗୁରୁତ୍ୱ
ସ୍ୱପରିଚୟ ସ୍ୱକର୍ତ୍ତବ୍ୟ ସ୍ୱନିଷ୍ଠା
କ୍ରୀଡନକ କଲେଣି ସ୍ୱାମୀଙ୍କୁ
ପ୍ରତାରିତ ନିସ୍ପେଷିତ ସ୍ୱାମୀଟା
ପ୍ରକୃତରେ କରୁଛି ବ୍ରତ
ଭୟରେ,ଆତ୍ମସମ୍ମାନ ପାଇଁ
ସାଜିଛି ଦେଶୀ ମେଣ୍ଢା
ପ୍ରଫୁଲ୍ଲିତ କରିବାକୁ ଆଜିର ସାବିତ୍ରୀଙ୍କୁ।
ଆଜି ବ୍ରତପାଇଁ ଚାକଚକ୍ୟ ସମ୍ଭାର
କଳି ଝଗଡା ମତାନ୍ତର ଓ ମନାନ୍ତର
ଶତ ଧିକ୍ ଏ ମିଥ୍ୟା ପରମ୍ପରାକୁ
ଯେଉଁଠି ସମ୍ପର୍କ-ନିବିଡତା କାନ୍ଦୁଛି ମରୁବାଲିରେ
ଦାମ୍ପତ୍ୟ ଜୀବନଟା ଅଟ୍ଟହାସ୍ୟ କରୁଛି
ଅଦ୍ୟ ସଦ୍ୟ ଚରିତ୍ରଙ୍କୁ ନେଇ
ଏ କ'ଣ ବ୍ରତ..! ଏ କ'ଣ ନିଷ୍ଠା...!
ଯେଉଁଠି....
ସଂସ୍କୃତି ଖୋଜୁଛି ତା ପରିଚୟ ଶ୍ମସାନରେ
ବାସ୍ତବ ବନ୍ଧନକୁ ଅଣ୍ଡାଳି ଅଣ୍ଡାଳି।
ତଥାପି ଜାଣିରଖ ଯମରାଜ...
ଚିହ୍ନିନାହଁ ଏ ଆର୍ଯ୍ୟାବର୍ତ୍ତର ଦମ୍ପତିଙ୍କୁ
ସୁପ୍ତ ନିଷ୍ଠା ଯେବେ ହେବ ଉଜ୍ଜୀବିତ
ସାବିତ୍ରୀଙ୍କ ଦୀପ୍ତ ଜ୍ୟୋତିରେ
ତୁମେ ହେବ ଭସ୍ମାୟିତ
ଭାରତୀୟ ନାରୀର ମହାଶକ୍ତିରେ
ତୁମେ ହେବ ଧରାଶାୟୀ
ତା'ର ପୂତପବିତ୍ର ବ୍ରତରେ
ଖିନ୍ ଭିନ୍ ହେବ ତୁମ ଅହଂକାର
ତାଙ୍କ ଜ୍ଞାନକୌଶଳରେ ତୁମେ ସାଜିବ ନିର୍ବୋଧ
ଛାଡିଯାଅ ସତ୍ୟବାନଙ୍କୁ
ବରଂ ସନ୍ଧି କର ଦେଇ ଅପାର ଆଶୀଷ
ଭରି ଅମାପ ଆୟୂଷ
ଚିରଦିନ ପୁଜ୍ୟ ଇଷ୍ଟ ପଦ ପାଇବ
ଏ ପବିତ୍ର ଧାମରେ।
ନାରାୟଣ ସେନାପତି
ଜମ୍ଭରା,କେନ୍ଦୁଝର
