ସ୍ୱର୍ଗୀୟ ମିଳନ
ସ୍ୱର୍ଗୀୟ ମିଳନ
ମୁଖ ନିସୃତଃ କବିତା – ସନ୍ଥ କବୀର ଦାସ
ଅନୁବାଦ – Dr Subas Chandra Rout
ଲାଲିମା ମୋର ପ୍ରିୟତମର, ଚାରି ଦିଗେ ଦେଖେ ଲାଲ,
ଲାଲି ଦର୍ଶନେ ଯାଇଥିଲି ମୁଁ, ହୋଇଗଲି ଲାଲେ ଲାଲ ।
ଖୋଜିଲେ ଯିଏ ପାଇଲେ ସିଏ. ଗଭୀର ଜଳରେ ପଶି,
ବାଇଆ ମୁହିଁ ବୁଡ଼ିବା ଡରେ, କୁଲରେ ରହିଲି ବସି ।
ସଖାଙ୍କୁ ମୋର ଖୋଜି ବୁଲିଲି, ନିଜକୁ ଦେଲି ହଜାଇ,
ଗୋଟିଏ ବୁନ୍ଦ ସମୁଦ୍ର ମଧ୍ୟେ, ହଜିଗଲେ କିଏ ପାଇ ।
ସମୁଦ୍ର ମଧ୍ୟେ ଗୋଟିଏ ବୁନ୍ଦ ଲୀନ ହେବା ବୁଝା ଯାଏ,
ଏକ ବୁନ୍ଦରେ ସାଗର ଲୀନ, ଏ କଥା ବୁଝି ନ ହୁଏ ।
ଚକ୍ଷୁ ମଧୁକୁ ଆସନ୍ତୁ ସ୍ୱାମୀ, ବୁଜିବି ମୋ ପତା ବେନି,
ଦେଖିବିନି ମୁଁ ଆଉ କାହାକୁ, କେହି ତାଙ୍କୁ ଦେଖିବେନି ।
ଚକ୍ଷୁ କୋଠରୀ, ପୁଅ ପଲଙ୍କ, ଯତନେ ସଜେଇ ଦେଲି,
ପଲକ ପର୍ଦା ଟାଙ୍ଗି ଦେଇ ମୁଁ, ପ୍ରିୟଙ୍କୁ ଖୁସି କରିଲି ।
ଲୁଣ କଣ୍ଢେଇ ସିନ୍ଧୁ ମଧ୍ୟକୁ, ଗଲା ଗଭୀରତା ମାପି,
ମିଳେଇ ଗଲା ତାହା ମଧ୍ୟରେ, କିଏ ବା ପାରିବ ମାପି?
ଡରେ ଦୁନିଆ ଯେଉଁ ମୃତ୍ୟୁକୁ, ସେ ଦିଏ ମୋତେ ଆନନ୍ଦ,
କେବେ ମରିବି କେବେ ପାଇବି, ସେ ପୂର୍ଣ୍ଣ ପରମାନନ୍ଦ ?
