STORYMIRROR

Aishwarya Mishra

Others

4  

Aishwarya Mishra

Others

ସ୍ୱର୍ଗଦ୍ଵାର

ସ୍ୱର୍ଗଦ୍ଵାର

1 min
260


ଜନମି ଥିଲି ମୁଁ ଶ୍ରୀକ୍ଷେତ୍ରେ ତୋହର

କୋଟି ଜନ୍ମ ପୁଣ୍ୟ ବଳେ

ଶେଷ ଇଚ୍ଛା ମୋର ମରିବା ବେଳକୁ

ଶୋଇବି ତୋ' ସ୍ୱର୍ଗଦ୍ଵାରେ,


କୋକେଇ ଉଠିଲେ ରାମ ନାମ ଡାକି

ନେବୁ ତା'କୁ ସ୍ୱର୍ଗଦ୍ଵାର

ଯେଉଁ ପ୍ରାନ୍ତରେ ବି ହେଲେ ମୋ ମରଣ

ଡ଼ାକିବୁ ପୁରୀକୁ ତୋର,


ଜୀବ ଯିବା ବେଳେ ଡାକିବୁ କାଳିଆ

ସ୍ୱର୍ଗ ଦୁଆରକୁ ତୋର ,

ସିଂହଦ୍ୱାରେ ରହି ଦେଖିବି ଥରେ

ଶ୍ରୀମୁଖ ଚାନ୍ଦ ତୋହର ,


ଜାଣିନି ମୁଁ କେତେ ଅରଜିଛି ପୂଣ୍ୟ

ଅବା କରିଅଛି ପାପ

ଶବ ମୋ ଜଳିଲେ, ତୋ ସ୍ୱର୍ଗ ଦୁଆରେ

ରହିବନି ଅବଶୋଷ ,


ଶୁଣିଛି କୁଆଡ଼େ ଯେତେ ସବୁ ପାପ

ସ୍ୱର୍ଗଦ୍ଵାରେ ହୁଏ ଦାହ 

ଆତ୍ମା ପକ୍ଷୀ ଉଡ଼ି ଯାଏ ତୋ ବୈକୁଣ୍ଠ

ତୁଟାଇ ମର୍ତ୍ତ୍ୟର ମୋହ,


ମୋ ଜୀବନ ପରା ଏକ ପାନ୍ଥଶାଳା

ପାପ-ପୁଣ୍ୟ ମୋ ଅତିଥି

କୋଳେଇ ନେଇଛି ଆଦରେ ସଭିଁଙ୍କୁ

ନ ବିଚାରି ମନେ କିଛି ,


ଜୀବନ ଘଟରୁ ସରୁଛି ଆୟୁଷ 

ମୃତ୍ୟୁ ଆସେ ଥିରି ଥିରି

ତୋର ସ୍ଵର୍ଗଦ୍ୱାରେ ଜାଗାଟେ ମୋ ପାଇଁ 

ରଖିଥିବୁ ମନେ କରି,


ସେଇଠି ଜଳିଲେ ଜୁଇ ଚିତା ମୋର

ପାପ ମୋର ହେବ କ୍ଷୟ

ସ୍ୱର୍ଗଦ୍ଵାର ଦେଇ ଯିବି ମୁଁ ସ୍ୱର୍ଗକୁ

ତୁମେ ପାଦେ ରଖି ଲୟ ,


ମରିଗଲା ପରେ କୋକେଇ ସଜେଇ

ନେବେ ମୋତେ ସ୍ୱର୍ଗଦ୍ଵାର

ମୁଖେ ନିଆଁ ଦେଇ, ଜୁଇ ମୋ ଜଳାଇ

କରିଦେବେ ମୋତେ ପର,


ସ୍ଵର୍ଗଦ୍ଵାର କିନ୍ତୁ କିଛି ନ ବିଚାରି

ନେବ ତ ମୋତେ କୋଳେଇ

ମାଆ ପରି ମୋର ସବୁ ଦୁଃଖ ହରି

ତା' ବକ୍ଷେ ଦେବ ଶୁଆଇ ,


ତୋ ସ୍ୱର୍ଗ ଦୁଆର ହେଉରେ କାଳିଆ 

ମୋହରି ଶେଷ ଠିକଣା 

ତା' ପରେ ପଛେ ତୁ ଠେଲି ଦେ ନର୍କକୁ

କରିବିନି ମନ ଉଣା,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍