STORYMIRROR

Sanskruti Mohanty

Others

1.0  

Sanskruti Mohanty

Others

ସ୍ୱପ୍ନଭଙ୍ଗ

ସ୍ୱପ୍ନଭଙ୍ଗ

1 min
458


କାହିଁକି ମୋ ଆଖିରେ ଭରିଦେଲ,

ସ୍ୱପ୍ନର ସାତରଙ୍ଗ,

ମନରେ ସଜେଇଲ ଆଶାର ସବୁଜିମା,

ହୃଦୟର ଗୋଲାପ ବଗିଚାରେ

ଫୁଟୁଥିଲା ଅନେକ କଢ।

ପୁନେଇଁ ଜହ୍ନ ପରି ଖିଲିଖିଲି

ହସୁଥିଲା ଜୀବନ,

ସାଉଁଟୁଥିଲା ଖୁସିର ଜୁଇ ଫୁଲ।

କିନ୍ତୁ ସରି ସରି ଆସୁଥିଲା ରାତି,

ଶେଷ ହେଉଥିଲା ସ୍ୱପ୍ନର ଆୟୂସ,

ପାହାନ୍ତି ତାରାର ଆଖି ଠାରରେ,

ସ୍ୱପ୍ନ ମାନେ ଝରି ଯାଉଥିଲେ,

ଲୁହ ବୁନ୍ଦା ହେଇ।

ଗୋଟେ ଉଦାସୀ ନଈ ପରି ,

ବେସୁରା ଲାଗୁଥିଲା ଜୀବନର ସ୍ୱର।

ହୃଦୟରେ ସୃଷ୍ଟି ହେଉଥିଲା,

ଅସଂଖ୍ୟ ଶୂନ୍ୟସ୍ଥାନ।

କୁହୁଡ଼ି ପହଁରିବାର ନିଶାରେ ,

ମୁଁ ଧାଉଁଥିଲି ଆଗକୁ ଆଗକୁ

ଖୋଜୁଥିଲି ଆମ ସଂପର୍କର ଚାବିକାଠି,

କିନ୍ତୁ ପାଉନଥିଲି,

ତାକୁ କେବେଠୁ ହଜେଇ ସାରିଥିଲି,

ଦୁଃଖର ଚୋରାବାଲିରେ।

ଜାହା ଖାଲି ବାକି ଥିଲା ,

କିଛି ସ୍ମୃତି ଆଉ ସ୍ୱପ୍ନ ,

ସେତକବି ଜୋର କରି,

ଛଡେଇ ନେଲ ମୋଠୁ।

ମୁଁ ହେଇଗଲି ସଂପୂର୍ଣ୍ଣ ନିଃସ୍ୱ,

ପାଲଟିଲି ପୋଖରୀ କୂଳର ତୁଠ ପଥର,

ଆଖିରେ ନଥିଲା ସ୍ୱପ୍ନ ମାନଙ୍କର ଭିଡ,

ଆଶା ମାନଙ୍କର ଧାଡି,

ଲମ୍ବି ନଥିଲା ଦୂରକୁ ଦୂରକୁ।

ଶେଷ ବସନ୍ତରେ ପତ୍ର ଝଡା ଦେଇଥିବା

କୃଷ୍ଣଚୂଡା ଗଛ ପରି,

ଜୀବନ ଦିଶୁଥିଲା ଶ୍ରୀହୀନା।

କିନ୍ତୁ ତୁମେ ଥିଲ ପ୍ରତିକ୍ରିୟା ଶୂନ୍ୟ,

କେଉଁ ଏକ ଅଜଣା ପ୍ରାପ୍ତିର ଖୁସିରେ,

ତୁମେ ହସୁଥିଲ ପ୍ରାଣଖୋଲା ହସ।

ମୁଁ କିନ୍ତୁ କୁହୁଳି କୁହୁଳି,

ହେଉଥିଲି ଦରପୋଡା କାଠ,

ଆଉ ସ୍ୱପ୍ନଭଙ୍ଗର ଯନ୍ତ୍ରଣାରେ,

ଜଳି ପାଉଁଶ ହେଉଥିଲା,

ମୋ ସବୁଜିମା ଭରି ସ୍ୱପ୍ନିଳ ଦୁନିଆ।।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍