ସ୍ୱାଧୀନତାର ସ୍ୱାଦ କେମିତି
ସ୍ୱାଧୀନତାର ସ୍ୱାଦ କେମିତି


ସ୍ୱାଧୀନତା ସ୍ୱାଦ ଚାଖିଅଛୁ ସତ
ଭୋକର ଭୂଗୋଳ ବଦଳି ନାହିଁ...
ଶାସନ ସ୍ୟାହିରେ ଶୋଷଣ ସ୍ଵାକ୍ଷରେ
ନିତି ଲେଖେ ସେତ କଷଣ ବହି...
ସ୍ୱାଧୀନତା ଏଠି କାହିଁ...
ସ୍ୱାଧୀନତା ଖାଲି ଶବ୍ଦରେ ସୀମିତ
ଗଗନ ପବନ ଡାକୁଛି ତ୍ରାହି...
କଳ୍ପ କଳ୍ପ ଧରି ଗଳ୍ପ ପାଲଟିଲା
ପ୍ରତିଶୃତି ସବୁ ହୋଇଲା ଶ୍ରୁତି...
ଯୋଜନା ଟେକିଲା ବଡ଼ବଡୁଆଙ୍କୁ
ଗରିବ ଗାରାଏ ଯନ୍ତ୍ରଣା ଗୀତି...
ଓଧ ବଣଭୁଆ ନୀତି...
ବାଡ଼ ଯେଉଁଠାରେ ଫସଲ ଖାଇବ
ଦୋଷୀ ସେଠି ଏକା ସାଜେ ନିୟତି...
ନର ରାକ୍ଷସ ଯେ ନୃପତି ସାଜିଣ
ନିତି ତଉଲନ୍ତି ଧର୍ମ ନିକିତି...
ନିଲାମ ହେଉଛି ନାରୀର ମହତ
ମଦୁଆ କରନ୍ତି ବସି ରାଜୁତି...
ଜନତା ମନରେ ଭୀତି...
କାହାକୁ କହିଲେ ଶୁଣିବ ବା କିଏ
ସମୟ ଯାଉଛି ବିତି...
ଏଇତ ଗାନ୍ଧୀଙ୍କ ରାମ ରାଜ୍ୟ ସ୍ୱପ୍ନ
ଦୁର୍ନୀତି କୋକୁଆ ବଢାଏ କାୟା...
ଅପେକ୍ଷା ରହିଛି ପରିବର୍ତ୍ତନକୁ
କେଜାଣି ମିଳିବ କେବେ ସେ ରାହା...
ଉଇଁବ ସୂରୁଜ ନୂଆ...
ମୁଖରିତ ହେବ ଜନ ଗଣ ମନ
ହସିବ ଭାରତ ମାଆ...