ସ୍ୱାଭିମାନ
ସ୍ୱାଭିମାନ
ଅଶୀ ବରଷର ବୁଢା଼ଟିଏ ଦିନେ
ଯାଉଥିଲା କାମ କରି
ପତ୍ନୀ ସହ ସିଏ ଘର କରିଥିଲା
ସଂସାରରେ ଘୂରିଘୂରି।୧
ଯୁବକ କାଳରୁ ସ୍ୱାଭିମାନ ହୃଦେ
ବସା ବାନ୍ଧିଥିଲା ତାର
ଆଜି ବୁଢା଼କାଳେ ସେହି ସ୍ୱାଭିମାନ
ରହିଅଛି ନିରନ୍ତର।୨
ଦିନେ ହେଲେ ସିଏ ଧାର ମାଗି ନାହିଁ
ଭୋକିଲା ରହିଛି ପଛେ
ରୋଜଗାର ଦେଖି ଖରଚ କରିଛି
ଗୋଡେ଼ଇନି କାହାପଛେ।୩
କିଏ ଘର କଲା ଅବା ଗାଡି଼ କଲା
ମୋହର ପାଖରେ ନାହିଁ
ପ୍ରତିଯୋଗୀ ଅବା ପ୍ରତିଦ୍ୱନ୍ଦ୍ୱିତାକୁ
ପ୍ରଶୟ ବି ଦେଇ ନାହିଁ?୪
ଯଥାସାଧ୍ୟ ସିଏ ସାହାଯ୍ୟ କରିଛି
ଦେଖି ଦୁଃଖୀ ଅବା ରଙ୍କି
ଆଣିନି କାହାଠୁ ଫଟା ଅଧୁଲିଟେ
ପୂରେଇନି ନିଜ ଟାଙ୍କି।୫
ଦିନେ ଦୁଇ ପୁଅ କହିଲେ ବାପା ହେ
ଘରଟେ କରିବା ଆମେ
କିଛି ଲାଞ୍ଚ ଦେଇ ଛାତ ଘରଟିଏ
ଆଣିବା ଭବିଷ୍ୟ ନାମେ।୫
କଥାଟା ଶୁଣିକି କହିଲା ବୁଢା଼ଟା
ଦରକାର ନାହିଁ କିଛି
ଏ ଚାଳ ଘରଟି ସରଗଠୁ ବଳି
ଆନନ୍ଦ ବି ପୂରିଅଛି।୬
ଭସ୍ମ ହୋଇଗଲା ପିଲାଙ୍କର କଥା
ଆଉ ଦିନେ ବଡ଼ ପୁଅ
ତୁମର ଭତ୍ତାଟା କରିବାକୁ ଚାହେଁ
ଦସ୍ତଖତ ଏଠି ଦିଅ।୭
ବୁଢା଼ ତା ପୁଅକୁ କହିଲା ଧନରେ
ସରକାର ଧନ ନେଇ
ବଞ୍ଚିବା ଅପେକ୍ଷା ମରିଯିବା ଭଲ
ତୁମେ କି ପୋଷିବ ନାହିଁ?୮
ବୁଢା଼ଟିର ହୃଦେ ସ୍ୱାଭିମାନ ଥିଲା
ଜଗତରେ ଏହି ଜଣେ
ସଂସାରଟା ମିଛ ମାୟାରେ ଚାଲୁଛି
ସତ୍ୟପଥ ଏହି ଜାଣେ।୯
ପ୍ରଣାମ ଘେନ ହେ ସତ୍ୟର ପୂଜାରୀ
ତୁମ ସ୍ୱାଭିମାନ ପାଇଁ
ଶତ ଧନ୍ୟବାଦ ହୃଦୟରୁ ଦିଏ
ଗ୍ରହଣ କରନ୍ତୁ ଭାଇ।୧୦
