ରୁଅ ବୀଜ ବିଚାର କ୍ରାନ୍ତିର
ରୁଅ ବୀଜ ବିଚାର କ୍ରାନ୍ତିର
ଦେଖ କେମିତି ଗରିବ ବୁହାଏ ଲୁହ, କୋହେ କାନ୍ଦେ
ତାହାର ଭୋକିଲା ସନ୍ତାନ ପାଇଁ
କାରଣ ସେ ଦେଇ ପାରେ ନାହିଁ ଅନ୍ନ ଗଣ୍ଡେ ଯୋଗାଡି,
ଭାବେ ଜନମ ନେଇଛି କାହିଁପାଇଁ ।
ତାର ବିସ୍ତୃତ ମନ ଅଗଣାର ନିଭୃତ କୋଣରେ ପୁଞ୍ଜିଭୂତ
କୋହ ସୁପ୍ତ ଆଗ୍ନେୟଗିରି ଉପସ୍ଥିତ
କିଏ କହିବ, କେତେବେଳେ, କେଉଁ ସମୟରେ, ତାହା
ତରଳ ଲାଭା ହୋଇ ହେବ ନିର୍ଗତ ।
ସମୟର କାଳଚକ୍ରେ ସେହି କୋହର ବାତ୍ୟା ଆସିବ
ଯେବେ ଲଘୁଚାପ ବଳେ ଝଡର ତାଣ୍ତବ ନେଇ
ତାହାର ପ୍ରକୋପେ ପୁଂଜିବାଦର ସବୁ ଯେତେ ଦୃଢ଼
ବନ୍ଧ ବାନ୍ଧକୁ ମାଟିରେ ଦେବ ମିଶାଇ ।
ମଣିଷର ବିପଦ ସମୟେ ବିବେକୀ ମଣିଷ ତାହାକୁ
ସଂକଟରୁ ଉଦ୍ଧାର କରେ
ସୂର୍ଯ୍ୟ ପରି ପ୍ରତ୍ୟେକ ଦିନ ଉଦୟ ହୋଇ ଅନ୍ଧକାର
ଦୂରେଇ ଆଲୋକ ସଂଚାର କରେ ।
ହେ ମନୁଷ୍ୟ, ପୁଂଜିବାଦର ବାହାକ, ନହୁଅ ଗୋଲାମ
ଅନୁପଯୁକ୍ତ ବିଚାର ଓ ଅଭ୍ୟାସର
ବିବେକଯୁକ୍ତ ହୋଇ ସୁଧାର ନିଜର ଗତିବିଧି, ମାନସିକ
ପରିବର୍ତ୍ତନ କରି ରୁଅ ବୀଜ ବିଚାର କ୍ରାନ୍ତିର।