ଋତୁରାଜ ବସନ୍ତ
ଋତୁରାଜ ବସନ୍ତ
ବୃକ୍ଷ ହସେ ନବ ପଲ୍ଲବିତେ
ତୁମେ ଆସିଛ ବୋଲି,
ରଙ୍ଗ ବେରଙ୍ଗର ପୁଷ୍ପେ
ଶୋଭା ଦିଶେ ମହୀ
କୁହୁ କୁହୁ କୋଇଲିର ସୁମଧୁର ସ୍ୱର
ଭାସି ଆସେ ଦୂର ଇଲାକାରୁ,
ଶୁଭେ ପୁଣି ହଳଦୀ ବସନ୍ତର ସୁମଧୁର ଗାନ
ଏ ପାଦପରୁ ସେ ପାଦପକୁ ଫକ ଫାକ ଡ଼ିଆଁ
ତୁମେ ଆସିଛ ବୋଲି ମନ୍ଦ ମନ୍ଦ ମଳୟର ଛୁଆଁ.
ଶରୀରେ ଆଣେ ନବ ଶିହରଣ
ତୁମେ ଆସିଛ ବୋଲି,
ଉଦ୍ୟାନେ ହସୁଛି ପୁଷ୍ପଗୁଚ୍ଛ ପୁଣି
ବକୁଳର ମନଲୋଭା ବାସ୍ନା
ଭରୁଛି ସଭିଙ୍କ ମନେ ତୀକ୍ଷ୍ଣ ସୂର୍ଯ୍ୟସ୍ନାତ
ଶରୀରେ ସୁହାଏ ବସନ୍ତର ବାସ୍ନା ବାରିହୁଏ
ତୁମେ ଆସିଛ ବୋଲି
ରାଧାକୃଷ୍ଣଙ୍କର ବିମାନେ ଝୁଲଣ,
ଫଗୁଖେଳର ମେଲଣ,
ମିଳନ ପୁଣି ପ୍ରେମ ପକ୍ଷୀଙ୍କର
ପ୍ରେମ ଜାଗେ ନୂତନ ପ୍ରେମୀଙ୍କ ହୃଦୟେ.
ନଦୀଧାର ଶୁଷ୍କ ହୋଇଯାଏ
ଧୀରେଧୀରେ ସାଗରରେ ମିଶେ
କୁଳୁକୁଳୁ ଝରଣାର ସୁର
ନବାବିବାହିତା ବଧୁର ପାଦର ଶବଦ ପରି ଲାଗେ
ନଭ ପରିଷ୍କାର ଦୃଶ୍ୟେ ସକାଳର କୁହୁଡି ଭିଜାରେ ପତ୍ର ଗୁଚ୍ଛ
ଶୁଭ୍ର ବର୍ଣ୍ଣେ ସୁସଜ୍ଜିତ ଦିଶେ
ତୁମେ ଆସିଛ ବୋଲି ମନ ମୋ ଆନ୍ଦୋଳିତ ହୁଏ
ଦୂର ରାଇଜରୁ ବୋଧେ ପତ୍ର ଆସିବ,
ଅପେକ୍ଷାରତ ମୋ ମନ ଆନମନା ହୁଏ,
ଚକ୍ଷୁ ଚଳଚଞ୍ଚଳ ଶରୀରେ ଖେଳେ ଶିହରଣ
ଅନ୍ୟମନସ୍କ କାହିଁକି ଜାଣିତ ପାରେନି!
ତୁମେ ଆସିଛ ବୋଲି ନାଲି, ନୀଳ, ହଳଦିଆ ଫୁଲ
ଖିଲି ଖିଲି ହସେ ତୋଳି ଧରେ
କରେ ମୋର ଚୁମ୍ବନ ଦିଏ ବାରମ୍ବାର
କାହିଁକି ଏ ମନ ପାଗଳ ?
ତୁମେ ଆସିଛ ବୋଲି,
ତୁମକୁ ପାଇବାକୁ ହୁଏ ମୁଁ ବିଭୋର ।