ଋତୁରାଜ ବସନ୍ତ
ଋତୁରାଜ ବସନ୍ତ
ମାଘ ମାସ ବାଘ ଶୀତ ଚାଲିଯାଏ
ଧରାପୃଷ୍ଠ ଛାଡି ଧିରେ ଧିରେ
ଫଗୁଣ ଆସଇ ଦକ୍ଷିଣ ଦିଗରୁ
ମଳୟ ବୁହାଇ ଧିରେ ଧିରେ||
ଋତୁରାଜ ମଧୁ ବସନ୍ତ ଆଗମେ
ପ୍ରିୟା ମୋର ହସେ ଖିଲିଖିଲି
ନବପଲ୍ଲବରେ ବଉଳ ବାସରେ
ମଳୟ ଆସିଛି ଏଠି ବୁଲି||
ଆମ୍ର କାନନରେ କୋଇଲି ଗାଉଛି
ବସନ୍ତର ସ୍ବାଗତ ସଙ୍ଗୀତ
ପ୍ରକୃତି ରାଣୀର ନବ ବଧୂ ବେଶ
ବୃକ୍ଷରାଜି ନବ ପଲ୍ଲବିତ||
ନର ପଶୁ ପକ୍ଷୀ କୀଟ ତରୁ ଲତା
ନୂତନ ଆହ୍ଲାଦେ ଆହ୍ଲାଦିତ
ସକଳ ପ୍ରାଣରେ ନବ ଉନ୍ମାଦନା
ପ୍ରୀତି ପୁଲକରେ ପୁଲକିତ ||
ବୃକ୍ଷରାଜି ସାଜେ ନବ ବଧୂ ବେଶ
ନବ ଫୁଲ ଫଳେ ସୁସଜ୍ଜିତ
ଋତୁରାଜ ସଙ୍ଗେ ପ୍ରକୃତି ରାଣୀ କି
ରାସ ରଚି ହୁଏ ପୁଲକିତ!!
ଫଗୁଣ ମାସର କୃଷ୍ଣ ଚତୁର୍ଦ୍ଦଶୀ
ରାତ୍ରେ ହୋଇ ସର୍ବେ ଉଜାଗର
ରହି ଉପବାସ ପ୍ରଦୀପ ଜାଳିଣ
ଭକ୍ତ ପୂଜେ ଶଶାଙ୍କ ଶେଖର ||
ଫଗୁଣ ଆଣଇ ରଙ୍ଗ ପିଚକାରୀ
ବିବିଧ ରଙ୍ଗ ଫଗୁ ଅବିର
ପ୍ରୀୟାର ଗାଲରେ ରଙ୍ଗ ବୋଳିଦେଇ
ପ୍ରିୟ ହୋଇଯାଏ ମନ ଚୋର ||
ଦୋଳ ପୂର୍ଣ୍ଣିମାରେ ଦୋଳ ଯାତ ହୁଏ
ଆନନ୍ଦ ମୁହୂର୍ତ୍ତ ମେଲଣର
ଦୋଳ ବିମାନରେ ଦୋଳ ଗୋବିନ୍ଦଙ୍କ
ଦର୍ଶନରେ ଆନନ୍ଦ ଅପାର ||
ଚଇତ ମାସରେ ବହେ ଚଇତାଳି
ବୃକ୍ଷେ ଫୁଲ ଫଳର ସମ୍ଭାର
ଦାଣ୍ଡେ ଦଣ୍ଡ ନାଚ ଦଣ୍ଡ ପାଟୁଆଙ୍କ
ଆରାଧନା ମା' ମଙ୍ଗଳାଙ୍କର ||
ତାଳ ସଜ ସଙ୍ଗେ ବେଲ ପଣା ପିଇ
ଆତ୍ମ ତୃପ୍ତି ଲାଭ କରେ ନର
ଆମ୍ର ବୃକ୍ଷ ଡାଳେ କୋଇଲି କରଇ
ଯଶଗାନ ଋତୁରାଜଙ୍କର ||
ଏଇ ଦୁନିଆଁରେ ସବୁ କ୍ଷଣସ୍ଥାୟୀ
ଯେହ୍ନେ ଖେଳ ଛାଇ ଆଲୁଅର
ଦୁଃଖ ପରେ ସୁଖ ଚକ୍ରାକାରେ ଆସେ
ସୁଖ ପରେ ପାଳି ଦୁଃଖର||
ସୁଖରେ ବିଭୋର ହେବନାହିଁ କେବେ
ହେବ ନାହି ଦୁଃଖରେ ଅଧିର
ସ୍ଥିତପ୍ରଜ୍ଞ ଭାବେ କର୍ମ କରିଚାଲ
ମୋହ ମାୟା ମନୁ କରି ଦୂର||
ଶୂନରୁ ପାରଦ ପଚାଶ ଛୂଅଁଇ
ବ୍ୟବଧାନ ମାତ୍ର ବସନ୍ତର
ପ୍ରଚଣ୍ଡ ଶୀତରୁ ଉଦ୍ଧାର କରିଣ
ଭେଟି ଦିଏ ମୃଦୁ ମଳୟର ||
ଅପାର ଆନନ୍ଦେ ଭସାଇ ରସାଇ
ସ୍ବାଗତ କରଇ ନିଦାଘର
ସୁଖର ସପନ ଭାଙ୍ଗଇ କ୍ଷଣକେ
ଧାସ ବାଜି ଝାଞ୍ଜି ପବନର ||
ତଥାପି କରୁଛି ହୃଦ କନ୍ଦରରୁ
ଯଶଗାନ ଋତୁରାଜଙ୍କର
ଷଡ ଋତୁ ମଧ୍ୟେ ଶ୍ରେଷ୍ଠ ଏ ବସନ୍ତ
ରାଜା ଅଟେ ଷଡ ଋତୁଙ୍କର ||