ଋତୁ ଆଗମନେ ଏ ମନ ଚାହେଁ
ଋତୁ ଆଗମନେ ଏ ମନ ଚାହେଁ
ଋତୁ ଚକ୍ର ଆବର୍ତ୍ତନେ ପ୍ରକୃତି ଶୋଭା ଦର୍ଶନେ,
ଆନନ୍ଦ, ଉଲ୍ଲାସ ଭରିଯାଏ ପ୍ରତିଟି ମନେ ,
ଗଗନେ,ପବନେ,ବନେ ବନେ ସୁମନ ସୁବାସେ,
ଋତୁ ଆଗମନେ ସମସ୍ତ ଧରା ଚଳ ଚଞ୍ଚଳ ହୁଏ।
ବୈଶାଖ, ଜ୍ୟେଷ୍ଠ କୁ ମାଗିବସେ ଇଚ୍ଛାମତେ,
ଦାଉ ଦାଉ ଜଳୁଥିବା ସୁନେଲୀ କିରଣ ଧାରେ,
ଦୂର ହେବ ଜୀବନର ଅନ୍ଧକାର ଯେ ଆଲୋକେ,
ଭରିଦେବ ସେ ଆଶାର ଆଲୋକ ପ୍ରତି ପ୍ରାଣେ ।
ଆଷାଢ଼, ଶ୍ରାବଣ ମାସେ ଭିଜି ଭିଜି ବର୍ଷାରେ,
ତା ରିମଝିମ୍ ସୁରେ ଯେବେ ମୁଁ ହଜିଯାଏ,
ସବୁ ଦୁଃଖ, କଷ୍ଟ ଧୋଇଦେଇ ବର୍ଷାର ଜଳେ,
ଭରିଦେଉ ନବ ଗୁଞ୍ଜନ ପ୍ରତି ପ୍ରାଣେ ପ୍ରାଣେ ।
ଭାଦ୍ରବ, ଆଶ୍ୱିନ ସମ ପବିତ୍ର ପାର୍ବଣ ମାସେ,
ମାଗିଛି ମୁଁ ନୂତନ ଆହ୍ବାନ ଶୁଦ୍ଧପୂତ ହୃଦୟେ,
ସମସ୍ତ ବିପଦ କରି ଖଣ୍ଡନ ଏ ଧରା ଧାମେ,
ଦିଅ ମାଁ ଜଗତଜନନୀ ଆଶିଷ ଏ ଦୁସ୍ଥ ମାନବେ।
କାର୍ତ୍ତିକ,ମାର୍ଗଶୀର୍ଷ ର ଋତୁ ଯେବେ ଆସେ,
ଧରିତ୍ରୀ ହୁଏ ଉଲ୍ଲସିତ ନୂତନ ଫସଲ ଅମଳେ,
ସମସ୍ତ ଆବିଳତା ନାଶହେଉ ଏକତାର ନିବିଡ଼ ବନ୍ଧନେ,
ଭରିଯାଉ ଶ୍ରଦ୍ଧା, ବିଶ୍ବାସ ସଭିଙ୍କ ଅନ୍ତରେ,ଅନ୍ତରେ ।
ପଉଷ,ମାଘ ର ଶିତୁଆ କାଲୁଆ ପରଶେ,
ବିକଶିତ କୁସୁମ ସୈ|ରଭେ ଧରଣୀ ହସେ,
ଭିଜା ଭିଜା କାକର ପରଶ ଶିହରଣ ଜଗାଏ , ଭରିଯାଉ ଏକ ନବ ଶିହରଣ ମନେ,ପ୍ରାଣେ ।
ଫାଲଗୁନ, ଚୈତ୍ରର ନବରାତ୍ର ଦେବୀ ଅନୁଷ୍ଠାନେ,
ଶ°ଖ,ଘଣ୍ଟ ନାଦେ,ଧୂପ,ଦୀପ,ଅଗୁରୁ ମହମହ ବାସେ,
ନୂତନ ଫୁଲର ସମ୍ଭାରେ ସବୁଜ ବନାନୀ ଶୋଭିତ ହୁଏ,
ସର୍ବେ ଭବନ୍ତୁ ସୁଖୀନ ଏତିକି ମୁଁ ଋତୁ ଶେଷେ ମାଗୁଣି କରେ।