ରଥଯାତ୍ରା
ରଥଯାତ୍ରା
ସମାଜର ବଡ଼ଦାଣ୍ଡେ ଜାତି ନନ୍ଦିଘୋଷ
ସେ ରଥରେ ରଥୀ ,
ଏ ଜାତିର ନେତା କାଳିଆ ସାଆନ୍ତ
କୋଟି ପ୍ରାଣ ବିନ୍ଦୁ ଏକ ସ୍ରୋତେ ହୁଏ ପ୍ରବାହିତ;
ସମୁଦ୍ର ସମାନ ଆଜି ଦିଶେ ବଡ଼ଦାଣ୍ଡ
ଏକାକାର ସର୍ବେ ଯହିଁ ନାହିଁ ଜାତି ଗୋତ୍ର
ନାହଁ ଧର୍ମ ଭେଦ ।।
ତା ପହଣ୍ଡି ବିଜୟରେ କ୍ରାନ୍ତିର ମଶାଲ ଜଳେ,
ସେ ଆଲୋକେ ଦଶଦିଶ ହୁଏ ଆଲୋକିତ
ଶାନ୍ତି, ପ୍ରୀତି ଛତ୍ରତଳେ ,
ଆଲଟ ଚାମର ପଡେ
ରତ୍ନ ବେଦୀରୁ ଓହ୍ଲାଇ ଆସେ ,
ସେ ବିଶ୍ଵ ପୁରୁଷ
ଦାରୁବ୍ରହ୍ମ ବ୍ରହ୍ମମୟ
କରି ତୋଳେ ବିଶ୍ଵ ।।
ନବକୋଟି କର୍ଣ୍ଣାଟୋତ୍କଳ କଳବର୍ଗେଶ୍ବର
ବୀରାଧି ବୀରବର
ସମାର୍ଜନି କରେ,
ଦେଖ ଉଭା ସ୍ୟନ୍ଦନ ଉପରେ,
ଛେରା ପହଁରା ମୁଦ୍ରାରେ
ସାନ,ବଡ଼,ବୀତ୍ତଶାଳୀ, ରଜା କିବା ପ୍ରଜା
ସମସ୍ତଙ୍କୁ ବାନ୍ଧିନିଏ ତା ପ୍ରେମ ଡୋରରେ ।।
ବିଜୟ କାହାଳୀ ହୁଏ ନିନାଦିତ;
ଶାନ୍ତିର ମଳୟ ଝରି ହୁଏ ହିଲ୍ଲୋଳିତ
ସେ ଶବଦେ ତିନି ଲୋକ ହୁଏ ପ୍ରକମ୍ପିତ
ଗଗନ ପବନ ହୁଏ ମୁଖରିତ,
ଗନ୍ଧର୍ବେ ବଜାନ୍ତି ତାଳ ଅପସରା ନୃତ୍ୟ ରତ
ସଂହତି ,ମୈତ୍ରେୟ ତାନ ଗୁଞ୍ଜରଣେ
ଏ ସଂସାର ,ହୁଏ ଗୁଞ୍ଜରିତ ।।
ଅପୂର୍ବ ଏ ରଥଯାତ ରଥୀ,ରଥ,ପଥ
ନାଗ,ଗନ୍ଧର୍ବ, କିନ୍ନର,ସୁର,ନର, ଭକ୍ତ
ଭକ୍ତି ଭୋଳେ ଭୋଳ ସବୁ ଯତୀ,ସାଧୁ,ସନ୍ଥ
ସକଳ ଅମର ଗଣଛନ୍ତି ସ୍ତୁତିରତ
ଭକ୍ତି ସିନ୍ଧୁ ସୁଧ ସ୍ରୋତ ହୁଏ ପ୍ରବାହିତ,
ଏଇ ସ୍ରୋତ ଧାରେ ମିଶାଇ ଦେ’ ଥରେ
ତୋର ପ୍ରାଣ ବିନ୍ଦୁ ଲଭିବୁ ମୁକତ ।।
ସମୃଦ୍ଧ କରିଛି ଏ ଯାତ ଜାତି ଇତିହାସ
ଉତ୍କଳ ଗରବ,ଗୌରବ ଗାଥା ଅଦମ୍ୟ ସାହାସ
ପ୍ରତି ପଦ ପାତେ ତାର ହୁଏ ଉଦ୍ଭାସିତ
ଅନନ୍ୟ ସେ ଅନାଦି ଅନନ୍ତ;
ଅଭିନ୍ନ ସୁନ୍ଦର ବିଶ୍ବପତି ଲକ୍ଷ୍ମୀକାନ୍ତ
ଧନ୍ୟ ତା ବିଚିତ୍ର ଲୀଳା ଧନ୍ୟ ସେ ନୀଳାଦ୍ରିନାଥ
ଧନ୍ୟ ତାର ପୁଣ୍ୟ ରଥଯାତ ।।
କବି ପ୍ରଫୁଲ୍ଲ ଚନ୍ଦ