STORYMIRROR

SARATA KUMAR DAS

Others

4  

SARATA KUMAR DAS

Others

ରଙ୍ଗଶାଳା

ରଙ୍ଗଶାଳା

1 min
341


ରଙ୍ଗଶାଳାର ନିବୁଜ ଛାତିରେ

ଜଳେ କାମନାର ଜ୍ୟୋତି

ନୂପୁରର ଛନ୍ଦେ ହଜିଯାଏ ମନ

ଝୁମି ଝୁମି ଯାଏ ରାତି  ।।


ରଜନୀଗନ୍ଧାର ବାସ ଛୁଟେ ଧୀରେ

ପ୍ରୀତିର ଗଜଲ ତାଳେ

ନଟୀର ନର୍ତ୍ତନେ ଉନ୍ମାଦନା ଭରେ

ମଧୁସିକ୍ତ ବୁକୁ ତଳେ    ।।


ଝଲମଲ ହୁଏ ରଙ୍ଗିନ୍ ଆଲୋକ

ନୟନେ ପଲକ ପଡେ

ଦେହ-ମନ-ପ୍ରାଣ ହୁଏ ଶିହରିତ 

ହୃଦୟେ ପିପାସା ବଢେ   ।।


ମଦିରା ମଧୁର ପିଆଲା ଛୁଆଁରେ

ପ୍ରୀତିର ଗୋଲାପ ଫୁଟେ

ନୀଳ ନୀଳ ସ୍ବପ୍ନ ଓହ୍ଲାଇ ଆସନ୍ତି

ଭିଜା ଭିଜା ଦୃଶ୍ୟପଟେ   ।।


ଓଠର ଆବେଗ ଖୋଜେ ସ୍ନିଗ୍ଧ ସ୍ପର୍ଶ 

ଲମ୍ବିଯାଏ ନୀଳତୃଷ୍ଣା

ସାଗର ଲହରୀ ଛୁଏଁ ବେଳାଭୂଇଁ 

ଝରିପଡେ ଅଙ୍ଗ ବାସ୍ନା  ।।


ନିଶୀଥ ମୁହୂର୍ତ୍ତେ ଥକିଯାଏ ପାଦ

ଶୁଖିଯାଏ ଓଠ ଧୀରେ

ପାଉଁଜିର ଶବ୍ଦ ଫିକା ପଡିଯାଏ

ରଙ୍ଗଶାଳା ଛାତି ପରେ   ।।


ଲିଭି ଲିଭି ଯାଏ କାମନାର ଅଗ୍ନି

ଅଟ୍ଟହାସ୍ୟ ଶୁଭେ ଦୂରେ

ଅସୁମାରି ଆଶା ଆଖିର ପଲକେ

ଝାରେ ଅଶ୍ରୁ ନୀରବରେ  ।।


ବିଜନ ବେଳାରେ ଚିତ୍ରିତ ତୂଳୀରେ

ରଙ୍ଗଶାଳା ଆଙ୍କେ ଛବି

ଅସୁମାରି ସ୍ମୃତି ଡାକେ ହାତ ଠାରି

ସୂର୍ଯ୍ୟ ଯାଏ ଯେବେ ଡୁବି   ।।


ପ୍ରତିଧ୍ବନି ଶୁଭେ ଶୂନ୍ୟ ଚକ୍ରବାଳେ

ଶୁଭେ ଛମ୍ ଛମ୍ ସୁର

ହାତ ପାପୁଲିରେ ନେସି ହୋଇଯାଏ 

ବେଦନାର ଅଶ୍ରୁ ନୀର  ।।


ରଙ୍ଗଶାଳା କାନ୍ଦେ ଗୁମୁରି ଗୁମୁରି

ଖୋଜେ ମୁଗ୍ଧ ମଧୁ ରାତି

ରିକ୍ତ ହୃଦୟରେ ସାଇତିଛି କେତେ

ହଜିଲା ଦିନର ସ୍ମୃତି  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍