ରଙ୍ଗାଧର ପୀତବାସ
ରଙ୍ଗାଧର ପୀତବାସ
ଅନର୍ଗଳ ବର୍ଷା ପାଇ ଯହିଁ ରସା
ଶୁଖିଲେ ତୁଟଇ ଆଶ
ଅବିରଳ ସାରା କରୁଣାର ଧାରା
ଢାଳି କି ଫେଡିବ ପ୍ରାସ ?
ଅସରନ୍ତି ଜଳେ ଭରିଥିବା ସ୍ଥଳେ
ସିନ୍ଧୁକୂଳେ ନାହିଁ ଘାସ
ହେଲ କି ଅନ୍ତର ଖୋଜି ନିରନ୍ତର
ବିତିଯାଏ ବର୍ଷ ମାସ
କୃପାସିନ୍ଧୁ ତଟେ ଏହା ଯଦି ଘଟେ
ଅନାଥ ହେବ କି ଦାସ ?
କାମରେ ଅଧମ ଦେହ ଏ ଅକ୍ଷମ
ନଥିଲେ ଆତ୍ମାର ବାସ
ଶ୍ୟାମ ବିନା ରାଧା ବିରହର ବାଧା
ଭୋଗିଲେ ହେବ କି ରାସ
ଥମିଗଲେ ଶ୍ୱାସ ଘଟେ ସର୍ବନାଶ
ଅନାଥ ହେବ କି ଦାସ ?
ନିଜର ଇଚ୍ଛାରେ ମନ ବଗିଚାରେ
ଯେତେ ବି କରିଲେ ଚାଷ
ମିଳେନାହିଁ ମୂଲ ଫୁଟିଲେ ବି ଫୁଲ
ମହକି ଉଠେନି ବାସ
ନଦେଲେ ସୁଗନ୍ଧ ବିନୁ ମକରନ୍ଦ
ଅନାଥ ହେବ କି ଦାସ ?
ଉପବନେ ମାଳି ତୁମେ ବନମାଳୀ
ରଙ୍ଗାଧର ପୀତବାସ
ଶ୍ରଦ୍ଧାରେ ତୁମରି ନାମକୁ ସୁମରି
ପ୍ରାର୍ଥନା କରୁଛି ଆସ
ଗୋବର୍ଦ୍ଧନ ଟେକା ହରି ବିନୁ ଏକା
ଅନାଥ ହେବ କି ଦାସ ?
