STORYMIRROR

MISHRA HRUSIKESH

Others

4  

MISHRA HRUSIKESH

Others

ରକ୍ତ ସମ୍ପର୍କ

ରକ୍ତ ସମ୍ପର୍କ

1 min
326


ମନେ ପଡିଯାଏ ମୋ ଗାଆଁର ସେହି

ଛପର କୁଡ଼ିଆ ଘର,

ବାପାଙ୍କ ବୋବାଳି ମୋ ମାର ଗାଳି 

ସତେ କି ହୋଇଲା ପର।


ବିତୁ ଥିଲା ଦିନ ଦେଖି ଦେଖି ସ୍ୱପ୍ନ

ସେ ସବୁ ହୋଇଲା ସ୍ମୃତି,

ମନେ ପଡ଼ିଗଲେ ଲୋତକ ଝରଇ

କାନ୍ଦି କାନ୍ଦି ପାହେ ରାତି।


କେତେ ଖେଳୁଥିଲୁ ନାଚି ବୁଲୁଥିଲୁ

ହସୁଥିଲୁ ନାନା ରଙ୍ଗେ,

ସେ ଘର ଗୋଟିକ ଥିଲା ସ୍ୱର୍ଗ ପୁରୀ

ଥିଲୁ ଯେବେ ଏକା ସଂଗେ।


କେତେ ଯାନିଯାତ ପାଳିଛୁ ସେଇଠି

ପିଠାପଣା କେତେ ଖାଇ,

ବାର ମାସେ ତେର ପରବ ପାଳିଛୁ

ମଜା ମଜା ଗୀତ ଗାଇ।


ମୋ ସାନ ଭଉଣୀ ସେନେହ ରଙ୍କୁଣୀ

ନାଚି ଗାଈ ବୁଲୁଥାଏ,

ରାକ୍ଷୀ ପୁନେଇରେ ସଜବାଜ ହୋଇ

ମତେ ସେ ଅନେଇ ଥାଏ।


ପ୍ରଳୟ ଆସିଲା ସବୁ ଧୋଇନେଲା

କରାଳ ରୂପକୁ ଧରି,

କୁଡ଼ିଆ ଗୋଟାକ ଚୁର ମାର ହେଲା

ସରିଗଲା ସବୁ ଶିରୀ।


ପେଟକୁ ଦି ମୁଠା ଆହାର ମିଳିବା

ହୋଇଗଲା ଭାରି କଷ୍ଟ,

ଗାଁ ଛାଡି ଆମେ ସହର ଆସିଲୁ

ଜୀବନ ହୋଇଲା ନଷ୍ଟ।


ଚାକିରୀ କରିବି ବୋଲି ମୋ ମନରେ 

କରିଥିଲି ଦିନେ ପଣ,

ଦିନ ରାତି ସବୁ ଏକ କରିବାକୁ 

ବୋଉ ଦେଇଥିଲା ରାଣ।


ଯେତିକି ପାରିଲି ସେତେ କଷ୍ଟ କଲି

ଚାକିରୀ ପାଇବା ପାଇଁ,

ସବୁ ପରିଶ୍ରମ ସଫଳ ହୋଇଲା

ହୋଇଲି ପୋଲିସି ମୁହିଁ।


ଭାଗ୍ୟର ଖେଳ କୁ କିଏ ବା ବୁଝିବ

କପାଳ ଫାଟିଲା ମୋର,

ମାଓବାଦୀ ସାଜି ଭଉଣୀ ମୋହର

ଘର ଛାଡ଼ି ହେଲା ପର।


ହେଲା ତ ହେଲା ସେ ମାଓବାଦୀ ପୁଣି

ମୋ ଆଗରେ ହେଲା ଠିଆ,

ରାକ୍ଷୀ ପୁନେଇରେ ରାକ୍ଷୀ ବଦଳରେ

ଧରିଲା ପିଣ୍ଡୁଳା ନିଆଁ।


ଯେଉଁ ହାତେ ମୋର ବାନ୍ଧିଥିଲା ରାକ୍ଷୀ

ସେ ହାତେ ବନ୍ଧୁକ ଧରି,

ଜୀବନେ ମାରିଲି ତାହାକୁ ଯେ ମୋର

ଥିଲା ମୋ ଘରର ଶିରୀ।


ଏତିକି ଗୁହାରୀ କରେ ଜଗନ୍ନାଥ

ନ ହୋଉ କା ସାଥେ ଏହା,

ହୃଦୟ ଫଟା ଏ କାହାଣୀ ମୋ ସାଥେ

ଘଟିଥିଲା ଦିନେ ଯାହା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍