ରଖ ଆହେ ବିଶ୍ୱପତି
ରଖ ଆହେ ବିଶ୍ୱପତି
*
ସାରା ଜଗତର ନାଥ ବୋଲି ପରା
ବୋଲାଉଛ ଜଗନ୍ନାଥ,
ମହାଶୂନ୍ୟଦେହୀ ସକଳ ବ୍ରହ୍ମାଂଡ
ତୁମରି ଭିତରେ ବ୍ୟାପ୍ତ । [୧]
ଭୌତିକ ସୁଖରେ ମାତି ଯେଣୁ
ସତ୍ୟ ଶିବଠୁ ଗଲୁ ଦୂରେଇ,
ଭୂତାଣୁ ବଳରେ ସଂହାର କରିବ
ଭାବିଛ କି ଭାବଗ୍ରାହୀ। [୨]
ମତ୍ତ ଗର୍ବେ ଅନ୍ଧ ହେଲୁ ଆଗଭର
ତିଆରିବୁ ଚନ୍ଦ୍ର ସୂର୍ଯ୍ୟ,
ଭୀତକ୍ରସ୍ତ ଛାର ଭୂତାଣୁ ଆମକୁ
ନାଶେ ହୋଇ ରକ୍ତବୀର୍ଯ୍ୟ।[୩]
ସମୃଦ୍ଧ ବିଜ୍ଞାନୀ ଅନ୍ୟର ବିନାଶେ
ତିଆରି ଜୈବିକ ଅସ୍ତ୍ର,
ସ୍ୱପଦ କୁଠାରଘାତେ ମୂଢ ଏବେ
ବୋଲାଇଲ ଭସ୍ମାସୁର। [୪]
ପ୍ରକୃତି ଯୋଗୁହିଁ ଜୀବନ ଜଗତ
ପ୍ରକୃତିରୁ ମିଳେ ଶାନ୍ତି,
ଶ୍ରେଷ୍ଠ ପ୍ରାଣୀ ହୋଇ ପ୍ରକୃତିଧଂସିଲୁ
ଧିକ ଏ ପଶୁ ପ୍ରବୃତ୍ତି। [୫]
ପ୍ରକୃତି ମାତାର ଆଖିଲୁହରେ ସେ
ଦାନା ବାନ୍ଧିଥିବା ବିଷ,
ମନୁଷ୍ୟ ସମାଜ ଗ୍ରାସିବ ଆସିଛି
ଭୂତାଣୁ କାଳ ପୁରୁଷ। [୬]
କୃତ କର୍ମ ପାଇଁ ଅନୁତପ୍ତ ଆଜି
ଭୋଗୁ କର୍ମଫଳ ମନ୍ଦ,
ବଂଚିବାର ଏବେ ଏକମାତ୍ର ରାହା
ବ୍ୟକ୍ତି ସମାଜ ବାସନ୍ଦ। [୭]
ଲୋଭ ମୋହ କାମ କ୍ରୋଧ ଭୟ
ଅହଂକାର ଷଡରିପୁ ମାରି,
ସତ୍ ଚିତ୍ ଆଉ ଆନନ୍ଦର ମାର୍ଗ
ଯିବୁ ଆମେ ଅନୁସରି। [୮]
ନିରୂପାୟ ଏବେ କିଂକର୍ତ୍ତବ୍ୟଶୂନ୍ୟ
ପ୍ରାଣ ଆମ ଜର୍ଜରିତ,
କ୍ଷମାବନ୍ତ ତୁମ୍ଭେ ଭୂଜ ଟେକି ରଖ
ହେବା ଆଗୁଁ ଭୂଲୁଣ୍ଠିତ। [୯]
ଭାବ ବିନୋଦିଆ ଭକତ ବଲ୍ଲଭ
ଭକ୍ତ ଜନ ଭାବଗ୍ରାହୀ,
ଭକ୍ତର ଭାବକୁ ଅଭାବ ହୋଇଲେ
କାହାକୁ କହିବୁ ସାଇଁ। [୧୦]
ତେଜି ସବୁ ଆଶା ଭରସା ପଶିଛୁ
ତୁମରି ଶରଣ ଗତି,
ସମ୍ପୁର୍ଣ୍ଣ ସମର୍ପି ଦେଇଛୁ ନିଜକୁ
ରଖ ଆହେ ବିଶ୍ୱପତି। [୧୧]
