ରଜର ମହକ
ରଜର ମହକ
ରଜ ଗୋ ତୁମେ
ଆଦ୍ୟ ଆଷାଢ଼ରେ
ଖୁସିର ପସରା ନେଇ
ପିଠା ପଣା ସଙ୍ଗେ
ସୁସ୍ଵାଦୁ ବ୍ୟଞ୍ଜନ
ମହ ମହ ବାସୁ ଥାଇ ।
ରଜ ଗୋ ତୁମେ
ଉତ୍କଳ ରାଇଜେ
ପୁରୁବ କାଳରୁ ଶ୍ରେଷ୍ଠ
ଅଜଣା ଆତଙ୍କେ
ଖାଆଁ ଖାଆଁ ଦାଣ୍ଡ
ରଜ କରିଦେଲା ନଷ୍ଟ ।
ରଜ ଗୋ ତୁମେ
ମେଘ ସବାରୀରେ
ବରଷାର ଧାରା ହୋଇ
ଭୋଜି ଭାତ ଆଜି
ଘରେ ଘରେ ପୁଣି
ମନ ପ୍ରାଣ ମହକଇ ।
ରଜ ଗୋ ତୁମେ
ଆସିଲେ ମରତେ
ଡାକୁନି ଆଉ ସେ ଗଜ
ରଜ ଦୋଳି ପୁଣି
ସପନ ହେଲାଣି
ନାହିଁ ସେ ଯୁଗର ରଜ ।
ରଜ ଗୋ ତୁମେ
ଆସୁଥିଲ ଯେବେ
ଥିଲା କେତେ ଭାଇଚାରା
ନାହିଁ ଆଉ ସେହି
ସାଙ୍ଗ ସାଥି ମେଳ
ପଡୋଶୀର ଭାବଧାରା ।
ରଜ ଗୋ ତୁମେ
ଆସୁଥିଲ ଯେବେ
ସୁସ୍ଥ ଥିଲା ପରିବେଶ
ଫୁଲରେ ଫଳରେ
ଭରି ରହୁଥିଲା
ମହକୁ ଥିଲା ଯେ ଦେଶ ।
କି ସୁନ୍ଦର ଥିଲା
ସେଵେକାର ରଜ
ମଧୁମୟ ଲାଗୁଥିଲା
କାହିଁ ଗଲା ସେହି
ପୂର୍ବ ସଂସ୍କୃତି
ଭାବି ଭାବି ଦିନ ଗଲା ।
ଜୀବନ ଯାତ୍ରାର
ଚଲା ପଥରେ
ହସ ଖୁସି ଆସୁଥାଉ
ରଜ ପରବର
ଶୁଭ ଦିବସେ
ସଭିଙ୍କର ଶୁଭ ହେଉ ।
