ରଜନୀର ପ୍ରେମ
ରଜନୀର ପ୍ରେମ
ଗୋଧୂଳି ଲଗନେ
ରବି ଅସ୍ତ ଗଲେ
ସନ୍ଧ୍ଯା କରେ ଆଗମନ।
ବିହଙ୍ଗେ ବସାକୁ
ଫେରିଣ ଆସନ୍ତି
କରି ସଙ୍ଗୀତ ଗୟନ।
ସନ୍ଧ୍ଯା ସମୟରେ
ନବବଧୂ ମାନେ
ପୂଜନ୍ତି ବୃନ୍ଦାବତୀଙ୍କୁ।
ପ୍ରାର୍ଥନା ସାରିଣ
ପ୍ରଣାମ କରନ୍ତି
ସାନଯେ ଗୁରୁଜନଙ୍କୁ।
ଓଡିଆ ଘରର
ପରମ୍ପରା ଏହି
ଅଟେ ଅତି ମୂଲ୍ଯବାନ।
ଏମିତି ସଂସ୍କାର
କେଉଁଠୁ ମିଳିବ?
ଏହାତ ଅମୂଲ୍ଯ ଜ୍ଞାନ।
ମାନ ଓ ସମ୍ମାନେ
ଓଡିଆ ମାନଙ୍କ
ବିଶ୍ୱରେ ପ୍ରଥମ ସ୍ଥାନ।
ସେଥିପାଇଁ ବୋଧେ
ବିଶ୍ୱ ଆଜି କହେ
ଓଡିଶା ଅଟେ ମହାନ।
ସଞ୍ଜ ନଇଁଗଲେ
ରଜନୀର ସାଥି
ଅନ୍ଧାର ଆସେଯେ ମାଡି।
ଅନ୍ଧାର ତା' ପ୍ରିୟା
ରଜନୀ ରାଣୀକୁ
କିପରି ପାରିବ ଛାଡି।
ପ୍ରେମ ବ୍ଯାପାରରେ
ରଜନୀ ରାଣୀର
ଅପେକ୍ଷାର ନାହିଁ ଅନ୍ତ।
ରାତ୍ରି ଓ ଅନ୍ଧାର
ମିଳନ ସମୟେ
ଉଦିତ ରଜନୀକାନ୍ତ।
କାନ୍ତଙ୍କର ପୁଣି
ଅଛନ୍ତି ପ୍ରେମିକା
ନାମ ତାଙ୍କ ଅଟେ କଇଁ।
ସଦା ଅପେକ୍ଷାରେ
ରହିଥାନ୍ତି ସିଏ
ଶଶିର କିରଣ ପାଇଁ।
ସବୁ ପ୍ରେମରେ ଯେ
ମିଳନ ବିଛେଦ
ବିଧାତାଙ୍କ ଏହା ସୃଷ୍ଟି।
ଅନ୍ଧକାର ଆଉ
ରଜନୀ ମଧ୍ଯରେ
ରବିଙ୍କ ଆଲୋକ ବୃଷ୍ଟି।
ପାହିଯାଏ ରାତି
ଦୂରେ ଯାଏ ସାଥି
ହୃଦୟରେ ରଖି କୋହ।
ତଥାବି କରନ୍ତି
ସାଥିଙ୍କ ପ୍ରତୀକ୍ଷା
ପ୍ରେମ ଅଟେ ନୁହେଁ ମୋହ।
ଅନନ୍ତ କାଳରୁ
ଚାଲିଅଛି ଏହା
ପ୍ରେମମୟଙ୍କର ଲୀଳା।
ମୁରୁଖ ମଣିଷ
ବୁଝି ପାରୁନାହିଁ
ସାଜିଛି ସରବ ଗିଳା।
ପ୍ରେମ ଶିକ୍ଷା କର
ପ୍ରକୃତି ନିକଟୁ
ଦୁଃଖ ହୋଇଯିବ ଦୂର।
ଆନନ୍ଦେ ରହିବ
ଚିରଦିନ ଲାଗି
ସରଗ ହେବ ସଂସାର।
