ରଜନୀ ଗୋ
ରଜନୀ ଗୋ
ରଜନୀ ଗୋ ତୁମେ ଏକାକୀ ଆସନା
ଚନ୍ଦ୍ରମାକୁ ଆଣ ଡାକି
ନହେଲେ କୁମୁଦ ବିରହ ବେଦନା
ସହି ତୁମେ ପାରିବକି ।
ରଜନୀ ଗୋ ତୁମେ ଏକାକୀ ଆସନା
ସପନକୁ ଆଣ ସାଥେ
ପରବାସୀ ପତି ପ୍ରିୟାକୁ ତା ଦେଖୁ
ସପନର ପଥେ ପଥେ।
ରଜନୀ ଗୋ ତୁମେ ଏକାକୀ ଆସନା
ନିଦ୍ରାବତୀ ଆଣ ରାଇ
ଶୀତଳ ପରଶେ କ୍ଳାନ୍ତ ଦୁନିଆକୁ
ଶାନ୍ତିରେ ସେ ଦେଉ ଶୋଇ।
ରଜନୀ ଗୋ ତୁମେ ଏକାକୀ ଆସନା
ସାଥେ ଆଣ ନିର୍ଜନତା
ନିର୍ଜନେ ପ୍ରେମିକ ପ୍ରେମିକା ହୃଦୟେ
ଲେଖୁ ପ୍ରୀତିର କବିତା।
ରଜନୀ ଗୋ ତୁମେ ଏକାକୀ ଆସନା
ଆସ ଧରି ପୁଷ୍ପବାସ
ସନ୍ତାପିତ ପ୍ରାଣେ ଚନ୍ଦନ ପ୍ରଲେପ
ଦେଉ ସୁମନ-ସୁବାସ।
