STORYMIRROR

Kali Kumar

Others

4  

Kali Kumar

Others

ରହସ୍ୟ

ରହସ୍ୟ

1 min
363

ଝରଣାରେ ବୋହିଯାଏ ପାହାଡ଼ର କୋହ

ବରଷାରେ ମିଶିଯାଏ ଆକାଶର ଲୁହ

ଘୁଉଁ ଘୁଉଁ ଗର୍ଜନେ ଲୀନ ସମୁଦ୍ରର କ୍ରନ୍ଦନ

କାହିଁ ! ଇଗଲ ଭଲ ପାଏ ଝଡ଼ ଓ ତୋଫାନ ।୧।


ଘନକୃଷ୍ଣ ବଉଦ ପୃଷ୍ଠେ ଚପଳାଟି ଯେବେ ଭାସେ

ବୁଡ଼ିମା'ର କଳା ରଙ୍ଗଦିଆ ମୁଣ୍ଡେ-

ସତେ ଧଳା ବାଳଟି ମୁଣ୍ଡ ଟେକି ହସେ,

ମହ ମହ ଯେବେ ଦୂର ଆଞ୍ଚଳିଟି-

ବଣମଲ୍ଲୀ ଗୁଣରେ ବାସେ

ଶାରଦୀ ସକାଳଟି କେତେ କମନୀୟ ଦିଶେ ।୨।


ନଦୀଟିଏ ଯେବେ ନିଜ ଦୁଃଖ ଭୁଲିବାର ପାଇଁ

କେଉଁ କାଳୁ ମିଶିବାକୁ ସମୁଦ୍ରେ,ଚେଷ୍ଟା ଯେ କରଇ

ଉତ୍କୃଷ୍ଟ-ସର୍ବୋତ୍ତମ-ସର୍ବଶ୍ରେଷ୍ଠର ପରିଚୟ ନେଇ

କିଆଁ ବଞ୍ଚ ତୁମେ,

ଆତ୍ମଗର୍ବେ 'ମୁଁ' 'ମୁଁ' ସଦା ହୋଇ ।୩।


ନଦୀ ପାରି ହେଲେ କିଏ ପଚାରେ ନାଆ

କ୍ଷୀର ଛାଡ଼ିଲେ ସନ୍ତାନ, କି ଦରକାର ମାଆ 

ଅହଂର ଗହନ ଅନ୍ଧକାରେ ସମ୍ପର୍କ ଛିନ୍ନ ଵିଛିନ୍ନ

ଆଶା-ବିଶ୍ୱାସ ପ୍ରତୀକ୍ଷଣେ ହୁଏ ସଙ୍କଟାପନ୍ନ ।୪।


ପ୍ରକୃତି ତୋର ଗୁରୁ ସାଜି ଦେଇଛି କେତେ ଶିକ୍ଷା

ମୁଢ଼ ତୁମେ କାହିଁ କର ସବୁ,ଦେଖି-ଅଣଦେଖା

ଜୀବନ ତୋହର ନିଜର ନୁହଁ, ଅଟେ ପ୍ରକୃତିର ଭିକ୍ଷା

ବେଳ ଥାଉଁ ଥାଉଁ କରିନିଅ,

ଏ କଥାର ଆତ୍ମ-ସମୀକ୍ଷା ।୫।


ଜୁଇର ପାଉଁଶେ ମିଶି ହେବୁ ନିଶ୍ଚିହ୍ନ

ମିଛେ କାହିଁ ଏତେ ମାନ-ଅଭିମାନ

କରିଥିଲେ କିଛି ଯଶ-ଖ୍ୟାତି ଅର୍ଜନ

ମୃତ୍ୟୁ ପରେ ବି ସେ,

ରହିଥିବ ଚିରକାଳ ଅକ୍ଷୁର୍ଣ୍ଣ ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍