ରାତ୍ରୀ ଗୋ ...
ରାତ୍ରୀ ଗୋ ...
ରାତ୍ରୀ ଗୋ ....
ରାତ୍ରୀ ଗୋ ତୁମ ନିକାଞ୍ଚ କୁଞ୍ଜ ରେ
ରାଧା ଖୋଜେ କୃଷ୍ଣ ପ୍ରାଣ
ରାତ୍ରୀ ଗୋ ତୁମ ନିଶବ୍ଦ ଗୁଞ୍ଜରେ
ଆନମନା ହୁଏ ମନ
ରାତ୍ରୀ ଗୋ ତୁମ ନିବିଡ଼ ଆଶ୍ଲେଷେ
ମତୁଆଲା ଯଉବନ
ରାତ୍ରୀ ଗୋ ତୁମ ମଧୁର ପରଷେ
ଶିହରିତ ତନୁ ମନ
ରାତ୍ରୀ ଗୋ ତୁମ ନିଶବ୍ଦ ଝଙ୍କାରେ
ବୀଣା ରଚେ ପ୍ରୀତି ଗୀତି
ରାତ୍ରୀ ଗୋ ତୁମେ କୁଆଁରୀ ମନ ର
ଆଦ୍ୟ ଯଉବନ ପ୍ରୀତି
ରାତ୍ରୀ ଗୋ ତୁମେ ଚିର ଆକାଂକ୍ଷିତା
ପ୍ରେମିକା ର ମୂକ ସାକ୍ଷୀ
ରାତ୍ରୀ ଗୋ ତୁମେ ଚିର ଅପେକ୍ଷିତା
ଅନୁଢ଼ା ରୂପସୀ ଆଖି
ରାତ୍ରୀ ଗୋ ତୁମେ ଅନିନ୍ଦ୍ୟ ସୁନ୍ଦରୀ
ଜହ୍ନ ତାରା ଙ୍କ ମେଳେ
ରାତ୍ରୀ ଗୋ ତୁମେ ବାସ୍ନା ମତୁଆଲା
ଜୁଈ ଯାଈ ହେନା ମେଳେ
ରାତ୍ରୀ ଗୋ ତୁମେ ପଲ୍ଲୀ ବଧୂ ର
ଅଭିମାନ ଭରା ହର୍ଷ
ରାତ୍ରୀ ଗୋ ତୁମେ ପ୍ରିୟ ପୁରୁଷ ର
ଆକାଂକ୍ଷିତ ସେହି ସ୍ପର୍ଶ
ରାତ୍ରୀ ଗୋ ତୁମେ ଚିର ଇପ୍ସିତା
ଜୀବନ ଯମୁନା ସୁଅ
ରାତ୍ରୀ ଗୋ ତୁମେ ମୂକ ସାକ୍ଷୀ ମୋର
ପାପ ପୁଣ୍ୟ ଦୁଃଖ କୋହ
ରାତ୍ରୀ ଗୋ ତୁମ ପଣତ କାନି ରେ
ଲୁକ୍କାୟିତ କେତେ ଗାଥା
ରାତ୍ରୀ ଗୋ ତୁମ ଅନନ୍ତ ଛାତି ରେ
ଅସୁମାରୀ କେତେ ବ୍ୟଥା
ରାତ୍ରୀ ଗୋ ତୁମେ ଦୂର ଆକାଶ ର
ସ୍ୱପ୍ନ ର ପରିଭାଷା
ରାତ୍ରୀ ଗୋ ତୁମେ ମିଳନ-ପିୟାସୀ
ପ୍ରେମିକା ଆଖିର ଦିବାନିଶି ଅଙ୍କାକଷା
ରାତ୍ରୀ ଗୋ ତୁମେ ଚିର ଅପେକ୍ଷିତା
ମୋ କବିତା ର ସବୁ ଶବ୍ଦ
ରାତ୍ରୀ ଗୋ ତୁମ ସ୍ପର୍ଶ ମାତ୍ରକେ
ଝରେ କଲମ ରୁ ବେଦ
ରାତ୍ରୀ ଗୋ ତୁମ ଆଲିଙ୍ଗନ ତ
ନିଜଠୁ ବି ପ୍ରିୟ ଅତି
ରାତ୍ରୀ ଗୋ ତୁମେ ଜୀବନ ଗାଥା ର
ପ୍ରୀତିମୟ ଛନ୍ଦ ଗୀତି.....
ରାତ୍ରୀ ଗୋ ତୁମେ ପ୍ରୀତି ଫଗୁଣ ର
ମତୁଆଲା ଜହ୍ନ ରାତି
ରାତ୍ରୀ ଗୋ ତୁମେ ଚୋରା ଚଇତି ର
ମନ୍ଦ ମଧୁର ତାତି
ରାତ୍ରୀ ଗୋ ତୁମେ ଧାରା ଶ୍ରାବଣ ର
ଅବିରତ ବାରି ଧାରା
ରାତ୍ରୀ ଗୋ ତୁମେ ଝରା ଶେଫାଳି ର
ଗନ୍ଧ ଯେ ମଧୁଝରା
ରାତ୍ରୀ ଗୋ ତୁମେ ଜ୍ୟୋସ୍ନା ବିଧୌତ
ବାସର ର ମଧୁ ରାତି
ରାତ୍ରୀ ଗୋ ତୁମେ କୁଆଁରି ମନର
ଅଲିଭା ପ୍ରଥମ ପ୍ରୀତି
ସୁଜାତା ମହାପାତ୍ର
