ରାତ୍ରି
ରାତ୍ରି
ଦିବସର ଅନ୍ତେ ନିର୍ଲିପ୍ତ ରଜନୀ
ସାଜେ ବଧୂ ନିରୁପମା ,
କଳା ପାଟଶାଢୀ ପିନ୍ଧି ଆସେ ପୁଣି
ତାମସୀ ସେ ଅନୁପମା ।
ସୁନ୍ଦରୀ ରମଣୀ ରୂପର ତରୁଣୀ
କେ ଦେଲା ତୋତେ ସଜାଇ ,
ଥରେ ଦେଖିଦେଲେ ମନ ଯାଏ ଲାଖି
ଅପରୂପ ତୋର ଛଇ ।
ମଥାରେ ତୋହର ଚନ୍ଦ୍ରର ବସଣୀ
କି ସୁନ୍ଦର ଦିଶେ ଆହା ,
ଧୃବତାରା ତୋର ମଥାମଣି ହୋଇ
ଝଟକେ ତୁହା କୁ ତୁହା !
ହୀରାନୀଳାମୋତି ଖଚିତ ତୋହର
ଶାଢୀର ସୁକ୍ଷ୍ମ ପଣତେ ,
କଳା ଆବରଣେ କୁସୁମ ଗହଣେ
ସରଗ ସୁଷମା ଜିତେ !
ପାଉଁଜି ତୋହର ସପ୍ତର୍ଷି ମଣ୍ଡଳ
ପାଦେ ତୋର ସୁଶୋଭିତ ,
ଭଷା ବାଦଲ ତା' ଓଢଣୀ ଉହାଡୁ
ରୂପ ଦେଖି ବିମୋହିତ ।
ତୋ' ଚଲାବାଟକୁ ସୁବାସିତ କରି
ବରଷା ଅତର ଛିଞ୍ଚେ ,
ରଜନୀଗନ୍ଧାର ମଧୁର ମହକ
ଚଉଦିଗେ ତୋର ବିଞ୍ଚେ ।
ଆସିବୁ ଲୋ ତୁହି ରୂପସୀ କୁମାରୀ
ପ୍ରକୃତି ହେଲାଣି ସଜ ,
ଚାଲିଯିବେ ପରା ସୂରୁଜ ଦେବତା
ପଥେ ବିଞ୍ଚନ୍ତି ମୁରୁଜ ।
ତୁହି କୋମଳାଙ୍ଗୀ ନରମ ଶୁଭାଙ୍ଗି
ରାତ୍ରି ଅଟେ ତୋର ନାମ ,
ବଧୂ ବେଶ ସାଜି ଆସୁଅଛୁ ପରା
ଭାଙ୍ଗିବାକୁ ଅଭିମାନ ।
ତୋର ଆଗମନ ଖୁସିର ବାରତା
ଜଣାଏ ତ ରାତ୍ରିଚର ,
ପଥେ ଶ୍ବାନ ସବୁ ହୁଳହୁଳି ଦ୍ୟନ୍ତି
ଡେଙ୍ଗୁରା ବଜାଏ ଚୋର ।
ଗଭାରେ ତୋହର ପାଆନ୍ତି ତ ଶୋଭା
ଶ୍ବେତପୁଷ୍ପ ଆବରଣ ,
ଗଳାରେ ତୋହର ସୁନ୍ଦର ଦିଶନ୍ତି
ଆଲୋକର ମାଳା ମାନ ।
କଳାକଳିମା ତୁ ସୁନ୍ଦରୀ ରୂପସୀ
ରୂପରେ ଲାବଣ୍ଯନିଧି ,
କୋଟି ସୁଷମାର ଉପମା ନେଇ ତୁ
ନେଇଛୁ ସଭିଙ୍କୁ ବାନ୍ଧି ।
